ବୈରୁତ: ସିରିଆର ଅଲେପ୍ପୋ ସହରେ ଶନିବାର ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଧର୍ମକୋର୍ଟ କରାଯାଇଥିଲା। ଆତଙ୍କବାଦୀ ସଂଗଠନ ଅଲ-କାଏଦା ଦ୍ୱାରା ଅନୁମୋଦନ ପାଇଥିବା ନୁସ୍ରା ଫ୍ରଣ୍ଟର ପକ୍ଷରୁ ଏହି ଧର୍ମକୋର୍ଟ କରାଯାଇଥିଲା। ଏଥିରେ ୧୦ରୁ ଅଧିକ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସୂଚନା ଦେଇଛନ୍ତି ସିରିଆନରେ କାର୍ଯ୍ୟରତ ଜଣେ ମାନବାଧିକାର କର୍ମୀ। ମୃତ୍ୟୁଦଣ୍ଡ ପାଇଥିବା ୧୦ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଥିଲାବେଳେ ଅନ୍ୟମାନେ ସିରିଆ ସରକାରଙ୍କ ଇନଫର୍ମର ଥିଲେ। ଏହି କୋର୍ଟ ସିରିଆର ବିଭିନ୍ନ ସହରରେ ମଧ୍ୟ କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ୨୦୧୧ ମାର୍ଚ୍ଚରୁ ସିରିଆରେ ସରକାର ବିରୋଧୀ ଆନ୍ଦୋଳନ ଚାଲିଥିବାରୁ ୨୩୦,୦୦୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।