ମୁମ୍ବାଇ: ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ ଏକା କରି ଚାଲିଯାଇଛି ଆରପାରିକୁ। ସୁଦୂର ଆମେରିକାରେ ନିଜ ପରିବାର ସହ ଖୁସିରେ ରହୁଛି ଇଞ୍ଜିନିୟର ପୁଅ। ଘରେ ଟଙ୍କା ପଇସାର ଅଭାବ ନାହିଁ। କିନ୍ତୁ ବୁଢୀ ବୟସରେ ଗୋଟିଏ ଘରେ ଏକାଏକା ସମୟ କାଟିବା ଭାରି କଷ୍ଟ। ସେଥିପାଇଁ ମାଆର ବିକଳ ଆଖି ଅନେକଥର ପୁଅକୁ ଖୋଜିଛି। ଦୂରରେ ଥିବା ପୁଅକୁ ବି ଫୋନ୍ କରିଛି, ପୁଅ କିନ୍ତୁ ଆସିନାହିଁ। ଶେଷରେ ପୁଅକୁ ଝୁରି ଝୁରି ଆରପାରିକୁ ଚାଲିଯାଇଛି ମାଆ। ଠିକ୍ ବର୍ଷକ ପରେ ଆମେରିକାରୁ ଫେରି ମାଆର କଙ୍କାଳ ଦେଖିବାକୁ ପାଇଛି ପୁଅ। ପୂରା ଘଟଣା କୌଣସି ସିନେମାର କାହାଣୀ ପରି ଲାଗୁଛି, କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ। ଏମିତି ଏକ ଦେହଥରା ଘଟଣା ଏବେ ପଦାକୁ ଆସିଛି। ପଢ଼ନ୍ତୁ ପୂରା ଘଟଣା।
ମୁମ୍ବାଇର ଲୋଖଣ୍ଡଓ୍ୱାଲା ଅଞ୍ଚଳରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଏକ ଫ୍ଲାଟର ୧୦ ତମ ମହଲାରେ ଜଣେ ୬୩ ବର୍ଷୀୟା ମହିଳାଙ୍କ କଙ୍କାଳ ଜବତ କରିଛି ପୋଲିସ୍। ଜବତ ହୋଇଥିବା କଙ୍କାଳଟି ହେଉଛି ମୁମ୍ବାଇର ଜଣେ କୋଟିପତି ମହିଳା ଆଶା ସାହାଣୀଙ୍କର। ଆଶାଙ୍କ ସ୍ୱାମୀ କେଦାରନାଥ ସାହାଣୀଙ୍କର ୨୦୧୩ରେ ମୃତ୍ୟୁ ହୋଇ ଯାଇଥିଲା। ପୁଅ ଋତୁରାଜ ସାହାଣୀ ଆମେରିକାର ଜଣେ ଆଇଟି ଇଞ୍ଜିନିୟର। ଯିଏ କି ତାଙ୍କ ପରିବାର ସହ ଆମେରିକାରେ ହିଁ ରହୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ବୃଦ୍ଧା ଆଶା ସାହାଣୀ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ। ପୁଅ ବୋହୂଙ୍କୁ ଅନେକ ସମୟରେ ମନେ ପାକାଉଥିଲେ। ମଝିରେ ମଝିରେ ଫୋନ୍ କରୁଥିଲେ, ଆଉ କହୁଥିଲେ- ମୋତେ ଏଇ ଘରେ ଏକୁଟିଆ ଆଉ ଭଲ ଲାଗୁନି, ମୁଁ ବୃଦ୍ଧାଶ୍ରମ ପଳାଇବି।
ପୋଲିସର କହିବା ମୁତାବକ, ୨୦୧୬ରେ ଶେଷଥର ପାଇଁ ଆଶା ତାଙ୍କ ପୁଅଙ୍କ ସହ କଥା ହୋଇଥିଲେ। ପ୍ରାୟ ବର୍ଷକ ପରେ ପୁଅ ଋତୁରାଜ ଆମେରିକାରୁ ଫେରିଥିଲେ। ଘର କବାଟ ଭିତର ପଟୁ ବନ୍ଦ ରହିଥିବା ଦେଖି କବାଟ ଭାଙ୍ଗି ଘରେ ପଶିଥିଲେ। ତା ପରେ ସେ ଯାହା ଦେଖିଥିଲେ ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲେ। ବିଛଣାର ସେ ଦେଖିବାକୁ ପାଇଥିଲେ ମାଆଙ୍କ କଙ୍କାଳ। ସଙ୍ଗେସଙ୍ଗେ ପୋଲିସକୁ ଫୋନ କରି ଜଣାଇଥିଲେ। ପରେ ପୋଲିସ ସେଠାରେ ପହଞ୍ଚି କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଋତୁରାଜଙ୍କ ମୋବାଇଲ୍ କଲ୍ ଯାଞ୍ଚ କରି ପୋଲିସ ତଦନ୍ତ ଚଳାଇଛି। ଗୋଟିଏ ଘରେ ଏକା ରହୁଥିବାରୁ ଆଶାଙ୍କୁ ସବୁବେଳେ ଏକୁଟିଆ ଲାଗୁଥିଲା। ବହୁଦିନ ହେବ ଖିଆପିଆ କରି ନଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ଅନୁମାନ କରୁଛି।
ଏହି ଘଟଣା ଆମ ନିମ୍ନଗାମୀ ପାରିବାରିକ ମୂଲ୍ୟବୋଧକୁ ପଦାରେ ପକାଇ ଦେଇଛି। ଏହାର ଦୁଇଟି ମୁଖ୍ୟ କାରଣ ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ପ୍ରଥମଟି ହେଲା, ସିଙ୍ଗିଲ୍ ଚାଇଲ୍ଡ ବା ଗୋଟିଏ ପିଲା ବ୍ୟବସ୍ଥା। ଅନ୍ୟଟି ହେଲା, ବାପାମାଆଙ୍କ ଯତ୍ନ ନେବାରେ ପିଲାଙ୍କ ବିମୁଖତା। ଭାରତରେ ପାରିବାରିକ ମୂଲ୍ୟବୋଧକୁ ସବୁଠାରୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଏଥିରେ ଯେ ଅଧୋଗତି ଘଟିଲାଣି ଏହି ଘଟଣା ତାର ଏକ ଉଦାହରଣ ଭାବେ ପଦାକୁ ଆସିଛି।