ନ୍ୟୁୟର୍କ: ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ଗତ ୧୮ ମାସ ମଧ୍ୟରେ ଆତଙ୍କବାଦ ସହ ଜଡ଼ିତ ୬ ଲକ୍ଷ ସନ୍ଦିଗ୍ଧ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରି ଦେଇଛି। କାରିଗରୀ ଜ୍ଞାନ କୌଶଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ଏଜେନ୍ସୀ ସିଏନ୍ଇଟି ଟ୍ୱିଟରର ଟ୍ରାନ୍ସପରେନ୍ସୀ ରିପୋର୍ଟ ଆଧାରରେ ଏହି ସୂଚନା ଦେଇଛି।
ଏହି ସଂସ୍ଥା କହିଛି ୨୦୧୫ ଅଗଷ୍ଟ ୧ ତାରିଖରୁ ଏଯାବତ ଟ୍ୱିଟର ୬,୩୬,୨୪୮ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆକାଉଣ୍ଟ୍ ବନ୍ଦ କରି ଦେଇଛି। କେବଳ ୨୦୧୬ର ଶେଷ ୬ ମାସରେ ଏଭଳି ୩,୭୬,୮୯୦ ଆକାଉଣ୍ଟ୍ ବନ୍ଦ କରାଯାଇଥିଲା।
୨୦୧୬ ପ୍ରାରମ୍ଭରେ ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ସହିତ ସଂଶ୍ଳୀଷ୍ଟ ୧,୨୫,୦୦୦ ଆକାଉଣ୍ଟ୍ ବନ୍ଦ କରାଯାଇଥିଲା ବୋଲି ଟ୍ୱିଟର ପକ୍ଷରୁ ଘୋଷଣା କରାଯାଇଥିଲା।
ଟ୍ୱିଟର ହିଂସାର ପ୍ରଚାର ବିରୋଧରେ ସ୍ପଷ୍ଟ ନିୟମ କରିଛି। ଆତଙ୍କବାଦ, ନକ୍ସଲବାଦ ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି ଏହି ସୋସିଆଲ୍ ମିଡିଆ ସାଇଟ୍।