ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ ଦଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ।
ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଢ଼ିବ। ଏଥିସହ ଏସପି ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଅଖିଲେଶ ସଙ୍କେତ ଦେଇଛନ୍ତି।
ଗତକାଲି ମାୟାବତୀ କହିଥିଲେ ଅଖିଲେଶ ନିଜ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ପାଇଁ ମଧ୍ୟ କନୌଜରୁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି। ଏମିତିକି ମେଣ୍ଟ ଥିଲେ ମଧ୍ୟ ଏସପି ଭୋଟ ବିଏସପିକୁ ଯାଇନଥିବା ସେ କହିଛନ୍ତି। ଏଥିପାଇଁ ଅଖିଲେଶଙ୍କ କକା ଶିବପାଲ ଯାଦବ ଓ କଂଗ୍ରେସର ମିଲି ଭଗତ ଏକ ବଡ଼ କାରଣ ବୋଲି ମାୟାବତୀ ହୃଦବୋଧ କରିଛନ୍ତି। ତେଣୁ ଆଗାମୀ ଦିନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଥିଲେ। ତେବେ ଯଦି ସମାଜବାଦୀ ପାର୍ଟି ନିଜ ଭୋଟ ବ୍ୟାଙ୍କ ବଢ଼ାଏ, ତାହେଲେ ଆଗାମୀ ଦିନରେ ବିଏସପି ପୁଣି ମେଣ୍ଟ ଗଢ଼ିପାରେ ବୋଲି ମାୟାବତୀ କହିଛନ୍ତି।