କଲୋମ୍ବୋ: ବୁଧବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳର ସମର୍ଥିତ ପ୍ରାର୍ଥୀ ପରାଜୟ ବରଣ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ଶନିବାର ଗୋତଭାୟା ରାଜପାକ୍ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
ଏକ ସ୍ୱତନ୍ତ୍ର ବିବୃତି ଜରିଆରେ ପ୍ରଧାନମନ୍ତ୍ରୀ ରାନିଲ କହିଛନ୍ତି, ସେ ମଙ୍ଗଳବାର ରାଷ୍ଟ୍ରପତି ରାଜପାକ୍ସେଙ୍କୁ ଭେଟିଥିଲେ। ଏହି ଅବସରରେ ଶ୍ରୀଲଙ୍କା ସଂସଦର ଭବିଷ୍ୟତ ବାବଦରେ ଆଲୋଚନା କରିଥିଲେ। ଯଦିଓ ତାଙ୍କ ସରକାର ପାଇଁ ସଂସଦରେ ଜନସମର୍ଥନ ଅଛି, ସେ ରାଜପାକ୍ସେଙ୍କୁ ମିଳିଥିବା ଜନାଦେଶକୁ ସମର୍ଥନ କରି ଇସ୍ତଫା ଦେଇଛନ୍ତି।
ସେ ପରାଜୟକୁ ନେଇ ଚାପଗ୍ରସ୍ତ ଥିଲେ ଏବଂ ବର୍ତ୍ତମାନ ରାଜପାକ୍ସେଙ୍କ ପକ୍ଷକୁ ସରକାର ହସ୍ତାନ୍ତର କରିବେ। ରାଜପାକ୍ସେ ୱିକ୍ରମ ସିଂଘେଙ୍କ ଦଳ ସମର୍ଥିତ ସଜିତ ପ୍ରେମଦାସାଙ୍କୁ ପରାଜିତ କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ରାଜପାକ୍ସେ ତାଙ୍କ ବଡ଼ ଭାଇ ତଥା ପୂର୍ବତନ ରାଷ୍ଟ୍ର ମୁଖ୍ୟ ମହିନ୍ଦ୍ରା ରାଜପାକ୍ସେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିପାରନ୍ତି।