ଭାଗଲପୁର: ରାଗ ଓ ଇର୍ଷା ମଣିଷକୁ ଅମଣିଷ ବନାବାକୁ ବେଶି ସମୟ ନେଇ ନଥାଏ। ଏପରିସ୍ଥିତିରେ ଲୋକେ ନିର୍ଦ୍ଦୟତାର ସୀମା ଟପି ଯାଇ ଏପରି କିଛି କରିବସନ୍ତି ଯାହା କେବେ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଏପରି ଏକ ଘଟଣା ଘଟିଛି ବିହାରର ଭାଗଲପୁର ଅଞ୍ଚଳରେ। ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ କରେଣ୍ଟ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ପଡ଼ୋଶୀ। ମୃତ ଛାତ୍ର ଜଣଙ୍କ ହେଲେ ଭାଗଲପୁର ସେଣ୍ଟ୍ରାଲ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍। ଶୁଭମ୍ର ଭୁଲ ହେଲା ସେ ପଡ଼ୋଶୀଙ୍କ ଝିଅ ସହ କଥା ହେଉଥିଲା।
ଶୁଭମ୍ଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଗତକାଲି ସେ ଅଫିସ୍ରେ ଥିବା ବେଳେ ପତ୍ନୀ ଓ ଝିଅ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଶୁଭମ୍ ଘରେ ଏକା ଥିବା ଜାଣିବା ପରେ ଝିଅର ଜେଜେ ତାଙ୍କୁ ନିଜ ଘରକୁ ଡାକି ନେଇଥିଲେ। ସେଠାରେ ପରିବାର ଲୋକେ ମିଶି କରେଣ୍ଟ ଦେଇ ଶୁଭମ୍ଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହକୁ ଆଣି ତାଙ୍କ ଘରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି।
ଶୁଭମ୍ଙ୍କୁ ହତ୍ୟା କରିବା ପରେ ଝିଅର ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ପରିବାରକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତି ପଡିଥିଲା। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବାଙ୍କା ଡିଏସ୍ପି ଏସ୍କେ ଦାସ କହିଛନ୍ତି।