ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାର ପ୍ରଚଳନ କରିଥିବା ଏକକ ଟିକସ ବ୍ୟବସ୍ଥା ଜିଏସ୍ଟିକୁ ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ ତାରିଖରୁ କେନ୍ଦ୍ର ସରକାର ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସ୍ଟି ଲାଗୁ କରିଥିଲେ। ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସ୍ଟି ଦିବସ ଭାବେ ପାଳନ କରୁଛନ୍ତି।
ଜିଏସଟିର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଗରୁ ପ୍ରଚଳିତ ବହୁ ଟ୍ୟାକ୍ସ ଜିଏସଟି ଭିତରେ ଲୁଚି ଯାଇଛି। ଏଥିସହିତ କ୍ଷୀର ଏବଂ ମର୍ସିଡିସ୍ କାରକୁ ତୁଳନାତ୍ମକ ଭାବେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କେବେ ବି ଏହି ଦୁଇଟି ଜିନିଷ ଉପରେ ସମାନ ଟ୍ୟାକ୍ସ ବ୍ୟବସ୍ଥା ହୋଇପାରିବନି।
ବିରୋଧୀ କିନ୍ତୁ ଜିଏସଟିରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ ଉଠାଇବା ସହିତ ଏହାକୁ ସମାଲୋଚନା କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି, ବ୍ୟବସାୟୀଙ୍କ ପାଇଁ ଜିଏସଟି ଏକ ଖରାପ ଶଦ୍ଦ। ଚିଦାମ୍ବରମଙ୍କ ଏହି ମନ୍ତବ୍ୟ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଜିଏସଟି ପ୍ରଚଳନ ଯୋଗୁ ଦେଶର ଅର୍ଥନୈତିକ ସଂସ୍କାର ଆସିଛି। ଏହା ଏକ ଐତିହାସିକ ସଂସ୍କାର ବୋଲି ସେ କହିଛନ୍ତି। ଏଥିସହିତ ଅଙ୍ଗୁର ଖାଇ ନ ପାରିଲେ ଖଟା ବୋଲି ଚିଦାମ୍ବରମଙ୍କୁ ଆକ୍ଷେପ କରି କହିଛନ୍ତି ଜେଟଲୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।