କିସ୍ମାୟୋ: ସୋମାଲିଆର କିସ୍ମାୟୋ ହୋଟେଲରେ ଏକ ଆତଙ୍କବାଦୀ ହମ୍ଲାରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଏବଂ କିଛି ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ଆତ୍ମଘାତୀ ଆତଙ୍କବାଦୀ କାର୍ ବିସ୍ଫୋରଣ କରିବା ପରେ କିଛି ବନ୍ଧୁକଧାରୀ ହୋଟେଲ ଭିତରେ ପଶି ଅତର୍କିତ ଭାବେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମୃତ ସାମ୍ବାଦିକଙ୍କ ନାମ ହୋଡାନ୍ ନାଲେୟା ବୋଲି ଜଣାପଡ଼ିଛି। ଅଲ୍ କାଏଦା ସହିତ ଜଡ଼ିତ ଆତଙ୍କବାଦୀ ସଂଗଠନ ଅଲ୍-ସବାବ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
ମୃତ ବିଦେଶୀ ନାଗରିକଙ୍କ ମଧ୍ୟରେ ୩ ଜଣ କେନିଆ ନାଗରିକ, ୩ ଜଣ ତାଞ୍ଜାନିଆ ନାଗରିକ, ୨ ଜଣ ଆମେରିକୀୟ ନାଗରିକ ଏବଂ ଜଣେ ବ୍ରିଟେନ୍ ନାଗରିକ ଅଛନ୍ତି। ଏହି ଆକ୍ରମଣରେ ୫୦ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। କିସ୍ମାୟୋ ସହରରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ଜଣେ ବ୍ୟକ୍ତି ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି।
ବେଶ୍ କିଛି ଘଣ୍ଟାର ଲଢ଼େଇ ପରେ ଶେଷରେ ସୋମାଲିଆ ସୁରକ୍ଷାକର୍ମୀ ଏହି ହୋଟେଲ୍କୁ ନିଜ କବ୍ଜାକୁ ଆଣିବାରେ ସମର୍ଥ ହୋଇଥିବା ସୂଚନା ମିଳିଛି। ପୁଲିସ୍ ପକ୍ଷରୁ କୁହାଯାଇଛି, ଅପରେସନ୍ ସରିଯାଇଛି ଏବଂ ୪ ଜଣ ଆକ୍ରମଣକାରୀଙ୍କୁ ନିପାତ କରାଯାଇଛି।
ଏହି ଆକ୍ରମଣ ସମୟରେ ସ୍ଥାନୀୟ କିଛି ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧିମାନେ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରୁଥିଲେ। କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ଆତଙ୍କବାଦୀ ଲୋକପ୍ରିୟ ମେଡିନା ହୋଟେଲରେ ବିସ୍ଫୋରଣ କରିଥିବା କାର୍ଟି ବିସ୍ଫୋରକରେ ଭରପୁର ଥିଲା।
ମୃତକଙ୍କ ମଧ୍ୟରେ ୨ ଜଣ ସାମ୍ବାଦିକ ଅଛନ୍ତି। ସୋମାଲି-କ୍ୟାନାଡିଆନ୍ ହୋଡାମ୍ ନାଲେୟା ଇଣ୍ଟିଗ୍ରେସନ୍ ଟିଭି ପାଇଁ କାମ କରୁଥିଲେ। ସେହିଭଳି ମହମ୍ମଦ ସହାଲ ଓମାର ଏସ୍ବିସି ଟିଭି ପାଇଁ କିସ୍ମାୟୋ ସହରରେ କାମ କରୁଥିଲେ।