ନୂଆଦିଲ୍ଲୀ:ଚଳିତ ମାସ ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଜଣେ ୩୧ ବର୍ଷୀୟ ମହିଳା ନିର୍ବାଚନ ଲଢିବାକୁ ଯାଉଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ସୁନିତା ପରମାର।
ତେବେ ପ୍ରଥମଥର ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟ ମେଘବାରର ଜଣେ ମହିଳା ନିର୍ବାଚନ ଲଢିବା ପାଇଁ ଆଗେଇ ଆସିଛନ୍ତି। ସୁନିତା ଥାରପଡା ଜିଲ୍ଲାର ସିନ୍ଧ ନିର୍ବାଚନମଣ୍ଡଳୀରୁ ପିଏସ୍-୫୬ ପାଇଁ ନିର୍ବାଚନ ଲଢିବା ପାଇଁ ନାମପତ୍ର ଦାଖଲ କରିଛନ୍ତି। ପାକିସ୍ତାନରେ ସବୁଠୁ ଅଧିକ ହିନ୍ଦୁ ସମ୍ପ୍ରଦାୟର ଲୋକ ଏହି ଜିଲ୍ଲାରେ ରୁହନ୍ତି। ପରମାରଙ୍କ କହିବା ଅନୁଯାୟୀ, ପୂର୍ବରୁ ନିର୍ବାଚିତ ହୋଇଥିବା ନେତା ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାରୁ ସେ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି।
ସୁନିତାଙ୍କ କହିବା ଅନୁୟାୟୀ ତାଙ୍କ ଅଞ୍ଚଳରେ ଅନେକ ସମସ୍ୟା ରହିଛି। ମହିଳା ମାନଙ୍କୁ ପାଣି ପାଇଁ ବହୁତ ଦୂର ଯିବାକୁ ପଡୁଛି। ଏଥିସହ ସେ ମହିଳା ମାନଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ଅବଗତ କରାଇବାକୁ ଚାହାନ୍ତି। ତାଙ୍କ କହିବା ଅନୁଯାୟୀ ‘ସେ ଏକବିଂଶ ଶତାବ୍ଦୀର ନାରୀ ଏବଂ ସେ ବାଘ ସହ ଲଢିବାର କ୍ଷମତା ରଖନ୍ତି।’
ମହିଳାଙ୍କ ପାଇଁ ପାକିସ୍ତାନ ସବୁବେଳେ ଏକ ଅସୁରକ୍ଷିତ ଦେଶ ରହିଆସିଛି। ଖାସ୍ କରି ହିନ୍ଦୁ ମହିଳା ମାନଙ୍କ ପାଇଁ। ଅନେକଥର ଏଠାରେ ମହିଳାମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଛି। ଆଉ ଏପରି ପରିସ୍ଥିତିରେ ସୁନିତାଙ୍କ ପଦକ୍ଷେପ ନିଶ୍ଚିତ କିଛି ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।