ନୂଆଦିଲ୍ଲୀ: ଅଯୋଧ୍ୟା ପ୍ରସଙ୍ଗରେ ଶୁଣାଣି ବେଳେ ମୁସଲିମଙ୍କ ପକ୍ଷ ରଖିଥିବା ଓକିଲ ରାଜୀବ ଧାଓ୍ୱନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶର ଶାନ୍ତି ମୁସଲିମ୍ ନୁହେଁ ବରଂ ହିନ୍ଦୁ ଭାଙ୍ଗନ୍ତି। ରାଜୀବଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଏବେ ସେ କହିଛନ୍ତି, ତାଙ୍କର ମନ୍ତବ୍ୟକୁ ଗଣମାଧ୍ୟମରେ ଭିନ୍ନ ଉଦ୍ଦେଶ୍ୟରେ କୁହାଯାଉଛି।
ଖବର ସରବରାହ ସଂସ୍ଥା ଏଏନଆଇକୁ ରାଜୀବ କହିଥିଲେ, 'ଦେଶରେ ଶାନ୍ତି-ସୌହାର୍ଦ୍ଦ୍ୟ ହିନ୍ଦୁମାନେ ଭାଙ୍ଗନ୍ତି, ମୁସଲିମ୍ ନୁହଁ। ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ମୁସଲିମ ପକ୍ଷଙ୍କ ସହ ଅନ୍ୟାୟ ହୋଇଛି'। ସମାଲୋଚନାର ଶିକାର ପରେ ସେ ସଫେଇ ଦେବାକୁ ଯାଇ କହିଛନ୍ତି, ‘ମୁଁ ଯେତେବେଳେ ହିନ୍ଦୁଙ୍କ କଥା କହୁଛି ଏହାର ଅର୍ଥ ନୁହେଁ ମୁଁ ସମସ୍ତ ହିନ୍ଦୁଙ୍କ କଥା କହୁଛି’।
ସେହିପରି ସେ ଆରଏସଏସକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ‘ ବାବ୍ରି ମସଜିଦ ପ୍ରସଙ୍ଗରେ ଯେବେ କୋର୍ଟରେ କୁହାଯାଏ ସେତେବେଳେ ହିନ୍ଦୁ ଶବ୍ଦ ମାନେ ଆରଏସଏସକୁ ବୁଝାଏ। ମୁଁ କୋର୍ଟରେ କହିଥିଲି ଯେଉଁମାନେ ବାବ୍ରି ମସଜିଦ ଭାଙ୍ଗିଛନ୍ତି ସେମାନେ ହିନ୍ଦୁ ତାଲିବାନ। ମୁଁ ସଙ୍ଘ ପରିବାରର ସେହି ବର୍ଗଙ୍କ କଥା କହୁଛି, ଯେଉଁମାନେ ହଂସା ଏବଂ ଲିଚିଂକୁ ସମର୍ଥନ କରନ୍ତି’।
ସୂଚନାଯୋଗ୍ୟ, ଅଯୋଧ୍ୟା ପ୍ରସଙ୍ଗରେ ଶୁଣାଣି ବେଳେ ହିନ୍ଦୁ ପକ୍ଷ ଏକ ମ୍ୟାପ ଦେଇଥିଲେ। ଯାହାକୁ କୋର୍ଟରେ ପ୍ରଧାନ ବିଚାରପତିଙ୍କ ଆଗରେ ଚିରି ଦେଇଥିଲେ ରାଜୀବ ଧାଓ୍ୱନ। ସେତେବେଳେ ସୁପ୍ରିମକୋର୍ଟ ମଧ୍ୟ ରାଜୀବଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।