ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ବସରେ ଆସିବାକୁ କୁଣ୍ଠାବୋଧ କରିବି ନାହିଁ। ଏପରିକି ବାସଭବନରୁ ସୁପ୍ରିମକୋର୍ଟକୁ ପାଦରେ ଚାଲି ଚାଲି ଯିବାରେ ମଧ୍ୟ କୌଣସି ଅସୁବିଧା ନାହିଁ। ରବିବାର ଏହା କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଠାକୁର। ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାର କାର୍ ଚାଳନା ଉପରେ ଲାଗୁ କରିବାକୁ ଥିବା ନୂଆ ନିୟମକୁ ସମର୍ଥନ କରି ସେ ଏହା କହିଛନ୍ତି। ବିଚାରପତି ମାନେ ଅନ୍ୟ ବିଚାରପତିଙ୍କ ସହ ମିଶି ଗୋଟିଏ କାରରେ ଗଲେ ଏହା ସାଧାରଣ ଲୋକଙ୍କ ପାଇଁ ଉଦାହରଣ ହେବ। ଏପରିକି ଆମେ ଚାଲି ଚାଲି କିମ୍ୱା ବସରେ ଯାଇ ପାରିବୁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ରାଜଧାନୀରେ ବାୟୁ ପ୍ରଦୁଷଣ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ କେଜ୍ରିୱାଲ୍ ସରକାର କାର୍ ଚାଳନା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁସାରେ କାର ମାଲିକମାନେ ସପ୍ତାହକୁ ତିନି ଦିନ କାରରେ ଯା’ଆସ କରିପାରିବେ। ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।