ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପ୍ରିମ୍କୋର୍ଟ ଆଜି ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ। ବ୍ୟକ୍ତିଗତ ଗୋପନୀୟତା (ରାଇଟ୍ ଟୁ ପ୍ରାଇଭେସୀ) ମୌଳିକ ଅଧିକାର ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ରାଇଟ୍ ଟୁ ପ୍ରାଇଭେସୀ ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଆସୁଛି। ଏଣୁ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ସାର୍ବଜନୀନ ହୋଇପାରିବ ନାହିଁ। ନଅ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଛନ୍ତି। ଏ ନେଇ ୧୯୫୪ ଓ ୧୯୬୨ରେ ଦିଆଯାଇଥିବା ରାୟକୁ ଖାରଜ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।
ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାରରେ ସାମିଲ କରିବା ପାଇଁ ସୁପ୍ରିମ୍କୋର୍ଟରେ ମୋଟ ୨୧ଟି ଆବେଦନ ହୋଇଥିଲା। କୋର୍ଟ ୭ ଦିନ ଧରି ଏହାର ଶୁଣାଣି କରିବା ପରେ ଅଗଷ୍ଟ ୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।
୧୯୫୪ରେ ୮ ଜଣ ବିଚାରପତିଙ୍କ ଖଣ୍ଡପୀଠ ଓ ୧୯୬୨ରେ ୬ ଜଣ ବିଚାରପତିଙ୍କ ଖଣ୍ଡପୀଠ ‘ବ୍ୟକ୍ତିଗତ ଗୋପନୀୟତା’କୁ ମୌଳିକ ଅଧିକାରର ମାନ୍ୟତା ଦେଇ ନଥିଲେ।
ଆଧାର ଉପରେ କ’ଣ ପଡ଼ିବ ପ୍ରଭାବ?
ଏହି ରାୟର ପ୍ରଭାବ ସିଧାସିଧା ପ୍ରଭାବ ବିଭିନ୍ନ ସରକାରୀ ଯୋଜନା ଓ ଆଧାରକାର୍ଡ ଉପରେ ପଡ଼ିପାରେ। ତେବେ ଆଧାର କାର୍ଡ ବୈଧ ନା ଅବୈଧ ସେ ନେଇ କୋର୍ଟ କିଛି କହି ନାହାନ୍ତି। ଆଧାର ସହିତ ଜଡ଼ିତ ଯୋଜନା ସଂପର୍କରେ ଆଧାର ବେଞ୍ଚ୍ ଶୁଣାଣି କରିବେ। ଏହି ବେଞ୍ଚରେ ପାଞ୍ଚ ଜଣ ବିଚାରପତି ରହିବେ।
ଜଣାଶୁଣା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସୁପ୍ରିମ୍କୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତା’ର ଅର୍ଥ ହେଉଛି ଯଦି ଟ୍ରେନ୍, ବିମାନରେ ସ୍ଥାନ ସଂରକ୍ଷଣ ପାଇଁ ତଥ୍ୟ ମଗାଯିବ ତା’ହେଲେ ଜଣେ ଏହି ଅଧିକାର ବଳରେ ସମସ୍ତ ସୂଚନା ଦେବା ପାଇଁ ବାଧ୍ୟ ନୁହେଁ। ସେ ମନା ବି କରିପାରିବେ।