ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ପ୍ରଭୁଙ୍କ ଉପରେ ଚଡ଼କ। ଗତ ୫ ଦିନ ମଧ୍ୟରେ ଦୁଇଟି ଦୁଇଟି ଟ୍ରେନ୍ ଦୁର୍ଘଟଣା ଘଟିବା ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପାଇଁ କାଳ ହୋଇଛି। ଚଳିତ ସପ୍ତାହରେ ଦୁଇ ଦୁଇଟି ଟ୍ରେନ୍ ଦୁର୍ଘଟଣା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନୈତିକତା ଦାୟିତ୍ୱ ଦୃଷ୍ଟିରୁ ଇସ୍ତଫା ଦେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ମୋଦି ଏହି ପ୍ରସ୍ତାବ ଉପରେ ବର୍ତ୍ତମାନ ସହମତି ପ୍ରକାଶ କରି ନାହାନ୍ତି। ଏଥିପାଇଁ ତାଙ୍କୁ ଅପେକ୍ଷା କରିବାକୁ ମୋଦି ପରାମର୍ଶ ଦେଇଥିବା ପ୍ରଭୁ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଶନିବାର ଉତ୍ତରପ୍ରଦେଶର ମୁଜାଫର ନଗରରେ ପୁରୀ ଉତ୍କଳ ଏକ୍ସପ୍ରେସ ଳାଇନଚ୍ୟୁତ ହୋଇ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ତେବେ ଏହାର ୫ ଦିନ ପରେ ଅର୍ଥାତ ଗତକାଲି କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଔରିୟା ଲେଭଲ କ୍ରସିଂରେ ରାତି ପ୍ରାୟ ୨ଟା ୫୦ ମିନିଟରେ ଟ୍ରେନ୍ଟି ଏକ ଡମ୍ଫରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରି ସୁରେଶ ପ୍ରଭୁ ଇସ୍ତଫା ପାଇଁ ଇଚ୍ଛାପ୍ରକାଶ କରିଥିଲେ।