ନୂଆଦିଲ୍ଲୀ:ମଜାଦାର ଟ୍ୱିଟ୍ ପାଇଁ ବେଶ୍ ଚର୍ଚ୍ଚିତ ସୁଷମା ସ୍ୱରାଜ ସବୁବେଳେ ଚର୍ଚ୍ଚିତ ହୋଇଥାନ୍ତି। ଆଜି ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ରଖି ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ‘ମୈଁ ଭି ଚୌକିଦାର’ରେ ଅନୁପ୍ରାଣିତ ହୋଇ ସେ ନିଜ ନାମ 'ଚୌକିଦାର ସୁଷମା ସ୍ୱରାଜ'କୁ ପରିବର୍ତ୍ତନ କରିବାକୁ ନେଇ ଜଣେ ପ୍ରଶ୍ନ କରିବାରୁ ସେ ବଢ଼ିଆ ଜବାବ ରଖିଛନ୍ତି।
ଟ୍ୱିଟ କରି ଜଣେ ବ୍ୟକ୍ତି କହିଥିଲେ, “ମ୍ୟାମ୍ ଆମେ ଭାବୁଥିଲୁ ଆପଣ ବୈଦେଶିକ ମନ୍ତ୍ରୀ। ବିଜେପିରେ ଏକ ମାତ୍ର ଵିଵେକସମ୍ପନ୍ନ ବ୍ୟକ୍ତିଭାବରେ ଜାଣିଥିଲୁ। କିନ୍ତୁ ଆପଣ ନିଜକୁ ଚୌକିଦାର କାହିଁକି କହୁଛନ୍ତି।” ସେ ଏହି ଟ୍ୱିଟ୍ଟି ସୁଷମାଙ୍କ ସେହି ଟ୍ୱିଟ୍ର ରିପ୍ଲାଇରେ ଲେଖିଥିଲେ ଯେଉଁଥିରେ ସୁଷମା ମ୍ୟୁନିକ୍ଠାରେ ଜଣେ ଭାରତୀୟଙ୍କ ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଟ୍ୱିଟ୍ର ଉତ୍ତରରେ ସୁଷମା ଲେଖିଥିଲେ, ଏହାର କାରଣ ହେଉଛି, ମୁଁ ଭାରତର ସ୍ୱାର୍ଥ ପାଇଁ ଏବଂ ଭାରତୀୟ ନାଗରିକଙ୍କ ପାଇଁ ଚୌକିଦାରି କରୁଛି।'
ସୋଶାଲ ମିଡିଆରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରି ଆସିଛନ୍ତି। ଏହା ହିଁ ତାଙ୍କୁ ବେଶ୍ ଲୋକପ୍ରିୟ କରିପାରିଛି। ୨୦୧୭ ମସିହାରେ ଜଣେ କେହି ମଜାରେ ଲେଖିଥିଲା, ମୁଁ ମଙ୍ଗଳ ଗ୍ରହରେ ଫସିଯାଇଛି। ୯୮୭ ଦିନ ତଳେ ମଙ୍ଗଳଯାନରେ ପଠାଯାଇଥିବା ଖାଦ୍ୟ ସରିବାକୁ ବସିଲାଣି। ମଙ୍ଗଳଯାନ-୨ କେବେ ଆସିବ ଇସ୍ରୋ? ଏହାର ଉତ୍ତରରେ ସୁଷମା ଲେଖିଥିଲେ, 'ତୁମେ ମଙ୍ଗଳରେ ଥିଲେ ବି ଭାରତୀୟ ଦୂତାବାସ ତୁମକୁ ନିଶ୍ଚୟ ସାହାଯ୍ୟ କରିବ।'
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।