ମୁମ୍ୱାଇ: ମହାରାଷ୍ଟ୍ରର ଶାସକ ଦଳ ଶିବସେନାରେ ଦୁଇ ଜଣଙ୍କ ହୁକୁମ ଚାଲେ। ଜଣେ ସୁପ୍ରିମୋ ଉଦ୍ଧବ ଠାକରେ, ଅନ୍ୟ ଜଣେ ଦଳର ତୁଣ୍ଡ ସଞ୍ଜୟ ରାଉତ। ଏବେ ଏହି ଉଦ୍ଧବ-ସଞ୍ଜୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି। ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ। ଏହି ମନ୍ତ୍ରିମଣ୍ଡଳରେ ସଞ୍ଜୟଙ୍କ ବିଧାୟକ ଭାଇ ସୁନୀଲ ରାଉତଙ୍କୁ ସେ ମନ୍ତ୍ରିମଣ୍ଡଳରେ ସାମିଲ୍ କରିନଥିଲେ। ହେଲେ ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ ହେବା ବେଳେ ସୁନୀଲଙ୍କ ନାମ ଥିଲା ବୋଲି ନିଜେ ସୁନୀଲ ଦୁଇ ଦିନ ପୂର୍ବରୁ କହିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାମ ତାଲିକାରୁ କଟିଯାଇଥିଲା। ସେଥିପାଇଁ ଶପଥ ସମାରୋହକୁ ଦୁଇ ଭାଇ ବର୍ଜନ କରିଥିଲେ।
ନୂଆବର୍ଷ ଅବସରରେ ସଞ୍ଜୟ ନିଜ ସୋଶାଲ ମିଡିଆ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିର ଉଲ୍ଲେଖ ରହିଛି, ‘ସବୁବେଳେ ଏମିତି ଏକ ବ୍ୟକ୍ତିଙ୍କୁ ସମ୍ଭାଳିବା ଦରକାର, ଯିଏକି ଆପଣଙ୍କୁ ତିନୋଟି ଉପହାର ଦେଇଛନ୍ତି- ସହଯୋଗ, ସମୟ ଏବଂ ସମର୍ପଣ’।
ସଞ୍ଜୟଙ୍କ ଏହି ପୋଷ୍ଟ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଲକ୍ଷ୍ୟ କରି ଲେଖା ହୋଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ବିବାଦ ବଢ଼ିବା ଦେଖି ସଞ୍ଜୟ ରାଉତ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଛନ୍ତି।
ବିକ୍ରୋଲିରୁ ବିଧାୟକ ହୋଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ନିକଟରେ କହିଥିଲେ, ଆଦିତ୍ୟ ଠାକରେଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ସେ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାର ଥିଲା। ହେଲେ ଅନ୍ତିମ ସମୟରେ ତାଙ୍କୁ ବାଦ୍ ଦିଆଯାଇଛି। ଏବେ ସେ ବିଧାୟକ ପଦବୀରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କ ପସନ୍ଦର ବିଧାୟକଙ୍କୁ ସୁଯୋଗ ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ଶପଥ ସମାରୋହକୁ ଆସିନଥିଲେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ସଞ୍ଜୟଙ୍କ ନେତୃତ୍ୱରେ ଶିବସେନା ସମସ୍ତ ନିଷ୍ପତ୍ତି ନେଇଥିଲା। ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଶିବସେନା ବିଜେପି ଆଗରେ ନିଜର ଦାବି ରଖିବା, ମହା ବିକାଶ ଅଘାଡ଼ି ମେଣ୍ଟରେ ଏନସିପି-କଂଗ୍ରେସକୁ ସାମିଲ କରିବାରେ ସଞ୍ଜୟ ହିଁ ମୁଖ୍ୟ ଭୂମିକା ନେଇଥିଲେ। ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମ୍ନାରେ ସେ କାର୍ଯ୍ୟକାରୀ ସମ୍ପାଦକ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।