ନ୍ୟୁୟର୍କ: ସିରିଆରେ ୫ବର୍ଷ ଧରି ଯୁଦ୍ଧ ଚାଲିଛି। ତେବେ ବିଳମ୍ବରେ ହେଲେ ବି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ସିରିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ଶନିବାର (ଭାରତୀୟ ସମୟାନୁସାରେ) ଜାତିସଂଘରେ ଏକ ଶାନ୍ତି ପ୍ରସ୍ତାବ ପାରିତ ହୋଇଯାଇଛି।
ତେବେ ଜାତିସଂଘ ପକ୍ଷରୁ ଏହା ସ୍ପଷ୍ଟ କରିଦିଆଯାଇଛି ଯେ ସିରିଆରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଉପରେ ଆକାଶମାର୍ଗରୁ ଚାଲିଥିବା ଆକ୍ରମଣ ଜାରି ରହିବ। ସିରିଆରୁ ଆଇଏସଆଇଏସକୁ ଯେମିତି ହେଲେ ସମୂଳେ ନାଶ କରାଯିବ।
ଆଜି ଜାତିସଂଘରେ ପାରିତ ହୋଇଥିବା ପ୍ରସ୍ତାବ ଅନୁସାରେ ଆସନ୍ତା ଜାନୁଆରୀ ମାସରୁ ସିରିଆ ସରକାର ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷକୁ ବନ୍ଦ କରିବାପାଇଁ ଯୁଦ୍ଧ ବିରତି ନେଇ ଉଦ୍ୟମ ଆରମ୍ଭ କରାଯିବ। ତେବେ ତା’ ପୂର୍ବରୁ ଦୁଇ ଗୋଷ୍ଠୀଙ୍କୁ କଥାବାର୍ତ୍ତା ପାଇଁ ରାଜି କରାଯିବ। ଏହା ବି ଏକ ଚ୍ୟାଲେଞ୍ଜ ହେବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।
ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ ସିରିଆ ରାଷ୍ଟ୍ରପତି ବସର ଅଲ୍ ଅସଦ ଇସ୍ତଫା ଦେଇ ଦେବା ଉଚିତ୍। ତାଙ୍କର ତଥା ଅନେକ ବିଶେଷଜ୍ଞ ମତ ହେଉଛି ଯେଉଁ ପର୍ଯ୍ୟନ୍ତ ଅସଦ ରାଷ୍ଟ୍ରପତି ପଦରେ ରହିବେ ସେତେ ଦିନ ପର୍ଯ୍ୟନ୍ତ ସିରିଆରେ ଶାନ୍ତି ଫେରିବ ନାହିଁ।