ଶ୍ରୀନଗର: ୧୯୯୦ ମସିହାରେ ବାୟୁସେନାର ୪ ଯବାନଙ୍କୁ ହତ୍ୟା ମାମଲାର ୩୦ ବର୍ଷ ପରେ ଆଜି ଜମ୍ମୁ ସ୍ଥିତ ଟାଡା କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜମ୍ମୁ କଶ୍ମୀରର ଜେକେଏଲଏଏଫ ଦଳର ମୁଖ୍ୟ ଏବଂ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ। ତିହାର ଜେଲ କତ୍ତୃପକ୍ଷ ୟାସିନକୁ ଆଜି କୋର୍ଟରେ ହାଜର କରିନଥିଲେ। ଏହାପରେ କୋର୍ଟ ଅକ୍ଟୋବର ୧ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ୟାସିନଙ୍କୁ ହାଜର କରିବା ପାଇଁ ତିହାର ଜେଲ୍ କତ୍ତୃପକ୍ଷଙ୍କୁ ନୋଟିସ୍ ପଠାଇଛନ୍ତି।
ଆଜି ହୋଇଥିବା ଏହି ଶୁଣାଣି ବେଳେ କେବଳ ଜଣେ ମାତ୍ର ଅଭିଯୁକ୍ତ ଅଲୀ ମହମ୍ମଦ ମୀର କୋର୍ଟରେ ହାଜର ହୋଇଥିଲେ। ତେଣୁ ଶୁଣାଣି ଆଗକୁ ବଢ଼ି ପାରିନଥିଲା।
ସୂଚନାଯୋଗ୍ୟ, ୧୯୯୦ରେ ବାୟୁସେନାର ୪ ଯବାନଙ୍କୁ ହୋଇଥିବା ହତ୍ୟା ମାମଲାର ଗିରଫ ଅଭିଯୁକ୍ତ ୟାସିନ୍ ମଲ୍ଲିକ ଏବେ ଆତଙ୍କୀକୁ ପାଣ୍ଠି ଯୋଗାଉଥିବା ମାମଲାରେ ଜେଲରେ ଅଛି। ୨୫ ଜାନୁଆରୀ ୧୯୯୦ରେ ୟାସିନ ମଲ୍ଲିକ ନେତୃତ୍ୱରେ ଜେକେଏଲଏଫର ଆତଙ୍କବାଦୀ ଶ୍ରୀନଗରର ବାହାର ଅଞ୍ଚଳରେ ବାୟୁସେନାର ୪ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ବସ୍ରେ ଯିବା ପାଇଁ ବାୟୁସେନାର ଯବାନ ଅପେକ୍ଷା କରିଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ୪ ଯବାନ ଶହୀଦ ହୋଇଥିବା ବେଳେ ୬ ଜଣ ସାଧାରଣ ଲୋକ ଆହତ ହୋଇଥିଲେ।
୧୯୯୦ରେ ଜମ୍ମୁର ଟାଡା କୋର୍ଟରେ ସିବିଆଇ ଚାର୍ଜଶିଟ୍ ଦାଖଲ କରିଥିଲା। ଯେଉଁଥିରେ ୟାସିନ୍ ମଲ୍ଲିକଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ୧୯୯୫ରେ ଏହି ମାମଲା ଜମ୍ମୁର ଆଜମେରକୁ ସ୍ଥାନାନ୍ତର କରାଯାଇଥିଲା। ୧୯୯୮ରେ ଜମ୍ମୁ କଶ୍ମୀର ହାଇକୋର୍ଟ ଜମ୍ମୁର ଟାଡା କୋର୍ଟକୁ ମାମଲା ସ୍ଥାନାନ୍ତର କରିଥିଲେ।
ଏହାପରେ ମାମଲା ଶାନ୍ତ ପଡ଼ିଯାଇଥିଲା କିନ୍ତୁ ମୋଦି ସରକାର ଆସିବା ପରେ ସିବିଆଇ ମାମଲାକୁ ପୁଣି ତ୍ୱରାନ୍ୱିତ କରିଛି।