ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଆମ ଦେଶର ଗୌରବ। ତାଜ୍ମହଲ୍ ଦେଖିବାକୁ ଦେଶ ବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଆମର ଏହି ଗର୍ବ ଓ ଗୌରବର ପ୍ରତୀକ ଉପରେ ପ୍ରଦୂଷଣର କୁପ୍ରଭାବ ଏବେ ଚିନ୍ତାର କାରଣ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲ ଉପରେ ପ୍ରଦୂଷଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ମଧ୍ୟ ଏଥିପାଇଁ ଚିନ୍ତା ବ୍ୟକ୍ତ କରି ଆଜି ତାଜମହଲର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସରକାରୀ ଅବହେଳାର ଅତି କଟୁ ସମାଲୋଚନା କରି କହିଛନ୍ତି “ଯଦି ତାଜମହଲ ସମ୍ଭାଳି ପାରୁନାହଁ ତେବେ ଭାଙ୍ଗି ଦିଅ। ନହେଲେ ଆମେ ଏହାକୁ ବନ୍ଦ କରିଦେବୁ।”
ସୂଚନା ଅନୁଯାୟୀ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅବହେଳା ଯୋଗୁ ତାଜମହଲର ଆଜି ଏମିତି ଅବସ୍ଥା। ତାଜମହଲ ଉପରେ ପ୍ରଦୂଷଣର କ୍ରମାଗତ ପ୍ରଭାବରେ ଏହା ପ୍ରଥମେ ହଳଦିଆ ଦେଖାଗଲା, ପରେ ମାଟିଆ ଓ ଏବେ ଏହାର ରଙ୍ଗ ଧୀରେ ଧୀରେ ସବୁଜ ଦେଖାଗଲାଣି।ତାଜମହଲର ଚମକ୍ ଧୀରେ ଧୀରେ ଫିକା ପଡ଼ିଯାଉଛି।
ସୁପ୍ରିମକୋର୍ଟ ବିରକ୍ତି ଭାବ ପ୍ରକାଶ କରି ଏଏସଆଇକୁ କହିଛନ୍ତି,‘ଫ୍ରାନ୍ସର ଆଇଫିଲ ଟାୱାରକୁ ଦେଖିବା ପାଇଁ ପ୍ରତିବର୍ଷ ୮ କୋଟି ଲୋକ ଆସୁଛନ୍ତି। ହେଲେ ତାଜ ମହଲ୍କୁ ଦେଖିବା ପାଇଁ କେବଳ ୫୦ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ଆପଣମାନେ ତାଜ୍ମହଲ୍କୁ କି ପର୍ଯ୍ୟଟକମାନଙ୍କୁ ଗମ୍ଭୀର ଭାବେ ନେଉ ନାହାନ୍ତି। ଆପଣମାନଙ୍କ ପାଇଁ ଦେଶର ଅନେକ କ୍ଷତି ହେଉଛି। କାରଣ, ଆପଣମାନେ ତାଜ୍ମହଲ୍ର ସୁରକ୍ଷା କରିବା ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ବଦଳରେ ଏହାକୁ ବିଗାଡ଼ିବାରେ ଲାଗିପଡ଼ିଛନ୍ତି’।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ଯେ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇ ପାରିବ ନାହିଁ। ନମାଜ ପାଇଁ ଅନ୍ୟ ସ୍ଥାନ ବାଛିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।