ରବି ଦାସ
ନିକଟରେ ଭାରତର ଜଣେ ଖ୍ୟାତନାମା ସମାଜବିଜ୍ଞାନୀ ଯୋଗେନ୍ଦ୍ର ଯାଦବ ସୂଚନା ଭବନରେ ଅନୁଷ୍ଠିତ ଏକ ସଭାରେ ମତ ଦେଇଥିଲେ ଯେ, ଭାରତ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ପ୍ରାୟ ୧୦୦ ବର୍ଷ କାଳ ବିଭିନ୍ନ ପ୍ରକାର ସାମାଜିକ ଓ ଆର୍ଥିକ ଚେତନା ସହିତ ଭାରତର ସଭ୍ୟତା, ସଂସ୍କୃତି ଓ ବିଭିନ୍ନ ଅଞ୍ଚଳର ଭାଷା, ପରିବେଶ ଓ ଚଳଣି ଉପରେ ଦେଶର ସ୍ୱାଧୀନତାର ରୂପରେଖ ଯେଉଁ ଚିନ୍ତକମାନେ ପ୍ରସ୍ତୁତ କରିଥିଲେ ସେମାନେ ବାସ୍ତବରେ ଥିଲେ ଆଧୁନିକ ରାଜନୈତିକ ଚିନ୍ତାର ବାର୍ତ୍ତାବହ। ସେହି ମହାନ୍ ବ୍ୟକ୍ତିମାନଙ୍କ ଭିତରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁବାଷ ବୋଷ, ଡ଼ଃ ଭୀମରାଓ ଆମ୍ବେଦକର, ଅରବିନ୍ଦ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ମୌଲାନା ଅବଦୁଲ୍ କଲାମ୍ ଆଜାଦ୍, କମ୍ୟୁନିଷ୍ଟ ସମାଜବାଦୀ ଆନ୍ଦୋଳନର ଅନେକ ନେତା, ଏପରିକି ଜ୍ୟୋତିରାଓ ଫୁଲେ ଓ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରମୁଖ ବହୁ ଚିନ୍ତାନାୟକ ଆଧୁନିକ ଭାରତର ରୂପରେଖକୁ ପ୍ରସ୍ତୁତ କରିଥିଲେ। ଭାରତବର୍ଷର ସମ୍ବିଧାନରେ କରୁଣା, ମୈତ୍ରୀ ଓ ସଦ୍ଭାବନା ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା କିପରି ରୂପାୟିତ ହେବ, ତାହାର ମାର୍ଗ ନିର୍ଦ୍ଧାରଣ କରିଥିଲେ।
କିନ୍ତୁ ୧୯୭୦ ଦଶକ ପରେ ଭାରତରେ ଆଧୁନିକ ରାଜନୈତିକ ଚିନ୍ତାଧାରାର ଚିନ୍ତକମାନେ ଲୋପ ପାଇଗଲେ। ଭାରତର ଏହି ଚିନ୍ତକମାନେ ଲୋକମାନଙ୍କ ଭିତରେ କାମ କରି ଯେଉଁ ଚିନ୍ତା ପ୍ରକଟ କରିଥିଲେ ତାହାର ମୂଳଭିତ୍ତି ଭାରତୀୟ ସଭ୍ୟତା, ସଂସ୍କୃତି ଓ ଭାଷା ସହିତ ଜଡ଼ିତ ଥିଲା। ୭୫ ବର୍ଷର ସ୍ୱାଧୀନତା ପରେ ଦେଶରେ ଆଧୁନିକ ଚିନ୍ତା କରୁଥିବା ରାଜନୈତିକ ବୃଦ୍ଧିଜୀବିମାନଙ୍କ ସଂଖ୍ୟା ଲୋପ ପାଇଯାଇଛି। ଏବେ ଏହିପରି ଚିନ୍ତା କରିବା ଦାୟିତ୍ୱ ବିଶ୍ୱ ବିଦ୍ୟାଳୟ ଓ ଅଧ୍ୟାପକମାନଙ୍କୁ ପ୍ରଦାନ କରି ରାଜନୈତିକ ନେତାମାନେ କେବଳ ଭୋଟ୍ ଦୃଷ୍ଟିକୋଣରୁ ସବୁକିଛି ଭାବୁଛନ୍ତି ଓ କରୁଛନ୍ତି। ଯେଉଁମାନେ ଦେଶର ସ୍ୱାଧୀନତା ଆନ୍ଦୋଳନ ଓ ସାମାଜିକ କ୍ରାନ୍ତିର ଇତିହାସକୁ ଅନୁଧ୍ୟାନ କରିଛନ୍ତି ସେମାନେ ସ୍ୱୀକାର କରିବେ ଯେ, ସେତେବେଳର ନେତାମାନଙ୍କ ନିକଟରେ ଭୋଟ୍ ଏକମାତ୍ର ଲକ୍ଷ୍ୟ ନଥିଲା। ମୁସିଲିମ୍ ଲିଗର ନେତୃତ୍ୱ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ହାତକୁ ଗଲା ପରେ ତାଙ୍କର ଏକମାତ୍ର ଯୁକ୍ତି ଥିଲା ଯେ, ହିନ୍ଦୁ ବହୁଳ ଭାରତରେ ମୁସଲିମମାନେ ସଂଖ୍ୟାଲଘୁ ହୋଇ ରହିବେ। ତେଣୁ ମୁସଲିମ ସ୍ୱାର୍ଥ ଭାରତରେ କଦାପି ସୁରକ୍ଷିତ ରହିବ ନାହିଁ।
ଭାରତରେ ବ୍ରିଟିଶ୍ ଶାସକମାନେ ହିଁ ଭାରତୀୟ ଏକତାକୁ ଭାଙ୍ଗିବା ପାଇଁ ଧର୍ମ ନାମରେ ଭାରତର ମାନସିକତାକୁ ଭାଗ ଭାଗ କରି ରଖିବାକୁ ଧମକାଉଥିଲେ। ଠିକ୍ ସେହିପରି ଚିନ୍ତା ଦଳିତ ବା ଅସ୍ପୃଶ୍ୟମାନଙ୍କ ଭିତରେ ଭରପୂର ରହିଥିଲା। କାରଣ ହିନ୍ଦୁ ସମାଜ ଅସ୍ପୃଶ୍ୟମାନଙ୍କୁ ଘୃଣା କରିବା ସହିତ ଜାତିଗତ ବିଭାଜନରେ ଲାଗି ରହିଥିଲା। କିନ୍ତୁ ମହାତ୍ମା ଗାନ୍ଧୀ ଆମ୍ବେଦକରଙ୍କର ଅସ୍ପୃଶ୍ୟତା ନେଇ ଉଦବେଗ ଓ ଭାବନାକୁ ହୃଦୟଙ୍ଗମ କରିଥିଲେ। ସେହି ଅନୁସାରେ ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତାବ ଦାୟିତ୍ୱ ଆମ୍ବେଦକରଙ୍କୁ ପ୍ରଦାନ କରାଯିବା ସହିତ ଅସ୍ପୃଶ୍ୟ ଓ ସମାଜର ନିଷ୍ପେଷିତ ବର୍ଗମାନଙ୍କ ପାଇଁ ଉଭୟ ରାଜନୈତିକ ଓ ସରକାରୀ ଚାକିରୀରେ ପ୍ରତିନିଧିତ୍ୱକୁ ଭାରତୀୟ ସମ୍ବିଧାନ ସ୍ୱୀକାର କରିଥିଲା। ଏପରିକି ମୁସଲିମାନଙ୍କର ଭାବନାକୁ ସମ୍ମାନ ଜଣାଇ ଭାରତୀୟ ସମ୍ବିଧାନରେ ସଂଘୀୟ ବ୍ୟବସ୍ଥାକୁ ଦୃଢ଼ କରି କେନ୍ଦ୍ର ସରକାରଙ୍କ ହାତରେ କେବଳ ଦେଶ ରକ୍ଷା, ବୈଦେଶିକ ବିଭାଗ, ଯୋଗାଯୋଗ, ମୁଦ୍ରା, ରେଲବାଇ ଓ ବିମାନଯାତ୍ରା ବ୍ୟବସ୍ଥାକୁ ରଖି ଅନ୍ୟ ସମସ୍ତ ବିଭାଗ ପ୍ରଦେଶ ସରକାରମାନଙ୍କୁ ପ୍ରଦାନ କରିବାକୁ ଅନେକ ରାଜି ହୋଇଥିଲେ। କିନ୍ତୁ ମୁସଲିମ୍ ଲିଗ ଏହି ଭାବନାରେ ପୂରା ଏକମତ ହୋଇପାରିଲା ନାହିଁ।
ଅପରପକ୍ଷରେ ବ୍ରିଟିଶ୍ ଶାସକମାନେ ନିର୍ଦ୍ଦିଷ୍ଟ ତାରିଖ ଭିତରେ ଭାରତକୁ ସ୍ୱାଧୀନ କରିବାକୁ ନେଇଥିବା ନିଷ୍ପତ୍ତି ଉପରେ କାୟମ ରହିବାରୁ ମୁସଲିମ ଲିଗର ଭାରତର ଧର୍ମଭିତ୍ତିରେ ବିଭାଜନ ଦାବି ସହିତ ସମସ୍ତଙ୍କୁ ରାଜି ହେବାକୁ ପଡ଼ିଲା। ଏଥିପାଇଁ କିଏ କେତେ ଦାୟୀ ତାହା ଉପରେ ଆଲୋଚନାର ଆବଶ୍ୟକତା ଏବେ ନାହିଁ। କିନ୍ତୁ ଭାରତ ପରି ବିଶାଳ ଭୂଖଣ୍ଡରେ ଯେଉଁ ସମ୍ବିଧାନ ପାକିସ୍ତାନ ରାଷ୍ଟ୍ର ଗଠନ ପରେ ପ୍ରଣୀତ ହେଲା ସେଥିରେ ଦେଶର ଏକତା ଓ ସାର୍ବଭୌମତ୍ୱ ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ଶକ୍ତିଶାଳୀ କରାଗଲେ ମଧ୍ୟ ସଂଘୀୟ ବ୍ୟବସ୍ଥା ଭାରତୀୟ ଶାସନ ବ୍ୟବସ୍ଥାରେ ଏକ ମୂଳ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ସିଦ୍ଧାନ୍ତ ହେଲା। କାରଣ ଭାରତରେ ପ୍ରତ୍ୟେକ ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି ଓ କାର୍ଯ୍ୟ କରିବାର ଢଙ୍ଗରେ ରହିଥିବା ପାର୍ଥକ୍ୟକୁ ବଜାୟ ରଖି ଦେଶକୁ ଏକଜୁଟ ରଖିବା ପାଇଁ ସଂଘୀୟ ବ୍ୟବସ୍ଥା ଜରୁରୀ ବୋଲି ସମସ୍ତେ ସ୍ୱୀକାର କଲେ।
ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ କଂଗ୍ରେସ ଦଳର ସରକାର ରହିଥିବାରୁ ସଂଘୀୟ ବ୍ୟବସ୍ଥା ନେଇ ବଡ଼ ଧରଣର ବିବାଦ ଜନ୍ମ ନେଉନଥିଲା। କିନ୍ତୁ କେରଳ ଓ ପରେ ତାମିଲନାଡୁରେ ଭିନ୍ନ ଦଳର ସରକାର ହେବା ପରେ ସଂଘୀୟ ବ୍ୟବସ୍ଥା ସମ୍ପର୍କୀୟ ପ୍ରଶ୍ନଗୁଡ଼ିକ ଉଠିବା ଆରମ୍ଭ ହୋଇଥିଲା। ଗୋଟିଏ ସମୟ ଏପରି ଆସିଲା ଯେଉଁଥିରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ସ୍ପଷ୍ଟ ଭାବରେ କହିଦେଲେ ଯେ, କେନ୍ଦ୍ର ସରକାର ରାଜ୍ୟ ବିଧାନସଭାର ମତକୁ ଏଡ଼ାଇଯାଇ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଅସାମ୍ବିଧାନିକ ହେବ। ରାଜ୍ୟ ବିଧାନସଭା ଯଦି ରାଜ୍ୟର ସରକାର ଗଠନ ପାଇଁ ଅକ୍ଷମ ହୁଏ, ତେବେ ଯାଇ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରିବେ। ରାଜ୍ୟ ସରକାରଙ୍କର ସଂଖ୍ୟଗରିଷ୍ଠତା କେବଳ ବିଧାନସଭା ପରିସରରେ ହିଁ ସ୍ଥିରୀକୃତ ହେବ।
ଏବେ ଦେଶରେ ବିଶେଷ ଭାବରେ ୧୯୯୦ ପରେ କେନ୍ଦ୍ରରେ ଯେଉଁ ଦଳ ବା ମେଣ୍ଟର ସରକାର ରହୁ ନା କାହିଁକି ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ମେଣ୍ଟ ବା ଦଳ ଶାସନ କରୁଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥା ସମ୍ପର୍କୀୟ ପ୍ରଶ୍ନଗୁଡ଼ିକ ଏବେ ଅଧିକ ଭାବରେ ଆଲୋଚିତ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶମାନେ ଦେଶ ଛାଡ଼ି ଚାଲିଯାଇ ଭାରତକୁ ସ୍ୱାଧୀନ କରିବା ସମୟରେ ସେମାନଙ୍କର ଚିନ୍ତକମାନେ ମତ ଦେଇଥିଲେ ଯେ, ଭାରତ କଦାପି ଗୋଟିଏ ଦେଶ ଭାବରେ ତିଷ୍ଠି ରହିପାରିବ ନାହିଁ। ଭାରତର ଭାଷା, ସଂସ୍କୃତି, ଆଚାର, ବିଚାର ଓ ଚାଲିଚଳଣରେ ରହିଥିବା ବିପୁଳ ପାର୍ଥକ୍ୟ ଯୋଗୁ ଭାରତ ଖୁବଶୀଘ୍ର ଖଣ୍ଡ ବିଖଣ୍ଡିତ ହୋଇଯିବ। ବାସ୍ତବିକ ୟୁରୋପୀୟ ଢାଞ୍ଚାରେ ସେମାନଙ୍କର ଏହି ପରିକଳ୍ପନା ଥିଲା। କିନ୍ତୁ ଭାରତୀୟ ସଂସ୍କୃତିରେ ଓ ସଭ୍ୟତାରେ ବିଭିନ୍ନ ବିଭେଦ ଭିତରେ କିପରି ଏକତା ରକ୍ଷାକରି ଦେଶର ସମାଜ ଓ ଶାସନକୁ ପରିଚାଳିତ କରିହେବ ତାହାକୁ ୟୁରୋପୀୟମାନେ କଳ୍ପନା କରିପାରି ନଥିଲେ।
ଖ୍ରୀଷ୍ଟପୂର୍ବ ସମୟରେ ଅଶୋକଙ୍କ ଶାସନ ବା ମୋଗଲ ସାମ୍ରାଜ୍ୟରେ ଆକବରଙ୍କ ଶାସନ ବିବିଧତା ଭିତରେ ଏକତାର ମୂଳଦୁଆ ପଡ଼ିଥିଲା। ତଥାପି ଭାରତର ପ୍ରତ୍ୟେକ ରାଜ୍ୟ ଓ ବିଭିନ୍ନ ଗୋଷ୍ଠୀର ଏକ ନିଜସ୍ୱ ପରିଚୟ ଅଛି। ସାହିତ୍ୟ ସଂସ୍କୃତି ଓ ସଭ୍ୟତା ସହିତ ଏହା ଜଡ଼ିତ ହୋଇ ରହିଛି। ଯେପରି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାପାଇଁ ବ୍ରିଟିଶ୍ ଶାସନ କାଳରେ ମଧ୍ୟ ଓଡ଼ିଆ ସାହିତ୍ୟିକ ଓ ଲେଖକମାନେ ଆନ୍ଦୋଳନ କରିଥିଲେ। ପରେ ଆନ୍ଧ୍ର ପ୍ରଦେଶ ଗଠନ ପାଇଁ ଯେଉଁ ଧରଣର ଆନ୍ଦୋଳନ ହୋଇଥିଲା ଓ ଶେଷରେ ତେଲେଙ୍ଗାନା ରାଜ୍ୟ ପାଇଁ ଆନ୍ଦୋଳନ ମଧ୍ୟ ଅନେକ ଦେଖିଛନ୍ତି। ଠିକ୍ ସେହିପରି ବମ୍ବେ ପ୍ରଦେଶକୁ ଭାଙ୍ଗି ମରାଠା ଓ ଗୁଜୁରାଟୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ କାର୍ଯ୍ୟକଳାପ ଓ ଆନ୍ଦୋଳନ ଲିପିବଦ୍ଧ ହୋଇଅଛି। ଏପରିକି ସ୍ୱତନ୍ତ୍ର ପଞ୍ଜାବ ପ୍ରଦେଶ ପାଇଁ ଶିଖମାନଙ୍କର ଆନ୍ଦୋଳନ କେତେ ଭୟଙ୍କର ହୋଇଥିଲା ତାହା ମଧ୍ୟ ଜଣାଅଛି। ତାମିଲନାଡୁ ହିନ୍ଦୀ ଭାଷା ସେମାନଙ୍କ ଉପରେ ଲଦିଦେବା ବିରୋଧରେ ରକ୍ତାକ୍ତ ସଂର୍ଘଷ କରିବା ପରେ କେନ୍ଦ୍ର ସରକାର ନୂଆ ଭାଷାନୀତି ପ୍ରଣୟନ କରିବା ପାଇଁ ବାଧ୍ୟ ହୋଇଥିଲେ।
ହଠାତ୍ ଦେଶରେ ରାଜ୍ୟ ସ୍ତରୀୟ ବା ଆଞ୍ଚଳିକ ସ୍ତରୀୟ ଭାବନା ଜାଗ୍ରତ ହେବା ପାଇଁ ନୂଆ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା। କାରଣ ଓଡ଼ିଶାରେ ବିଜେଡ଼ି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନ ଉପରେ ଏହା ପର୍ଯ୍ୟବସିତ ନହୋଇ କେବଳ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଭିତ୍ତିରେ ଅଣଓଡ଼ିଆମାନଙ୍କ ଦ୍ୱାରା ଶାସନ କରୁଥିବା ଲୋକମାନଙ୍କର ହୃଦବୋଧ ହୋଇଥିଲା। ଓଡ଼ିଆ ଭାଷା ସଂସ୍କୃତି ଓ ପରିଚୟକୁ ଭୁଲିଯାଇ କେବଳ ନବୀନଙ୍କ ଲୋକପ୍ରିୟତା ବଳରେ ଶାସନକାର୍ଯ୍ୟ ଚଳାଇବେ ବୋଲି ଭାବିଥିଲେ। କିନ୍ତୁ ରାଜ୍ୟ ଜନସାଧାରଣ ଏହାର ଉପଲବ୍ଧି କରି ସେମାନଙ୍କୁ କ୍ଷମତାଚ୍ୟୁତ କରିଛନ୍ତି।
ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ବିଶେଷ ଭାବରେ ଯେଉଁ ରାଜ୍ୟମାନଙ୍କରେ ଅଣବିଜେପି ଆଞ୍ଚଳିକ ଭିତ୍ତିକ ସରକାର ରହିଛି ସେମାନେ ସ୍ୱାଧୀନତା ସମୟରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦେବା ପାଇଁ ଓ ରାଜ୍ୟମାନଙ୍କର ନିଜସ୍ୱ ପରିଚୟ ରକ୍ଷା କରିବା ପାଇଁ ବ୍ୟଗ୍ର ହୋଇଉଠିଛନ୍ତି। ଏ କ୍ଷେତ୍ରରେ ଦେଶର ଆର୍ଥିକ ସମ୍ବଳ ବଣ୍ଟନରେ କେନ୍ଦ୍ର ଯେଉଁ ଅଧିକାର ସାବ୍ୟସ୍ତ କରୁଛି ଓ ଏହି ସମ୍ବଳ ବଣ୍ଟନରେ ଅର୍ଥ କମିଶନ ଯେଉଁ ଭୂମିକା ନେଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜିଏସଟି ଲାଗୁ ହୋଇଯିବା ପରେ ରାଜ୍ୟମାନଙ୍କର ନିଜସ୍ୱ ସମ୍ବଳ ବଢ଼ାଇବା ସୁଯୋଗ ସଂକୁଚିତ ହୋଇଯାଇଛି। ସେହି ଦୃଷ୍ଟିରୁ ସେମାନେ କେନ୍ଦ୍ରୀୟ ସମ୍ବଳରୁ ଅଧିକ ଭାଗ ଚାହୁଁଛନ୍ତି। ତାମିଲନାଡୁ ସରକାର ଷୋଡ଼ଶ ଅର୍ଥ କମିଶନ ଆଗରେ ଯୁକ୍ତି କରିଛନ୍ତି ଯେ, ବଣ୍ଟନ ହେବାକୁ ଥିବା ଜାତୀୟ ସମ୍ବଳର ୫୦ ଭାଗ ରାଜ୍ୟମାନଙ୍କୁ ଦିଆଯାଉ। ଏବେ ତାହା ଶତକଡ଼ା ୪୧ ଭାଗ ଥିଲେ ମଧ୍ୟ ବାସ୍ତବରେ ରାଜ୍ୟମାନେ ଗତ ୪ ବର୍ଷ ଭିତରେ ଶତକଡ଼ା ୩୩.୧୬ ସମ୍ବଳ ପାଇଛନ୍ତି। କେନ୍ଦ୍ରୀୟ ସମ୍ବଳ ବଣ୍ଟନରେ ତାମିଲନାଡୁର ଅଂଶ ଶତକଡ଼ା ୪.୭କୁ କମି ଆସିଛି। କେରଳ ସରକାର ମଧ୍ୟ କେନ୍ଦ୍ର ରାଜ୍ୟମାନଙ୍କର ଋଣ ଉପରେ ପ୍ରତିବନ୍ଧକକୁ ବିରୋଧ କରି ସମ୍ବିଧାନର ୨୯୨ ଓ ୨୯୩ରେ କେତେକ ଅଭିଯୋଗ ସୁପ୍ରିମ କୋର୍ଟ ନିକଟରେ ଉପସ୍ଥାପିତ କରିଛନ୍ତି। ଏହାର ବିଚାର ହୋଇନାହିଁ।
କିନ୍ତୁ ଏହିସବୁ ଆର୍ଥିକ ବ୍ୟବସ୍ଥା ଛଡ଼ା ଜାତୀୟ ରାଜନୀତିରେ ପରିଚୟ ଓ ପ୍ରତିନିଧିତ୍ୱ ଚାହୁଁଥିବା ରାଜ୍ୟମାନେ ଆଗାମୀ ଜନଗଣନା ପରେ ହେବାକୁ ଥିବା ଲୋକସଭା ଆସନ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସମୁଦାୟ ଦକ୍ଷିଣ ଭାରତ ରାଜ୍ୟ ସହିତ ପଶ୍ଚିମବଙ୍ଗ ଓ ପଞ୍ଚାବ ପରି ରାଜ୍ୟ ଏ ବିଷୟରେ ବଡ଼ ଧରଣର ସ୍ୱର ଉଠାଇବାର ସୂଚନା ମିଳିଲାଣି। ଦେଶ ସ୍ୱାଧୀନ ସମୟରେ ବଙ୍ଗଳାର ଯେଉଁ ପରିଚୟ ଜାତୀୟ ରାଜନୀତିରେ ଥିଲା ଓ ଶିଖମାନଙ୍କର ଯେଉଁ ସ୍ୱୀକୃତି ଦେଶର ରକ୍ଷକ ଭାବରେ ଥିଲା ତାହା ବିପନ୍ନ ହୋଇଥିବା ରାଜ୍ୟର ଲୋକମାନେ ଭାବୁଛନ୍ତି। ଠିକ୍ ସେହିପରି ପ୍ରାକୃତିକ ଖଣିଜ ସମ୍ପଦରେ ଭରା ଓଡ଼ିଶା ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ନିମନ୍ତେ ରାଜ୍ୟକୁ ଓ ବିଶେଷ ଭାବରେ ଏହାର ସମ୍ପଦ ଉପରେ ଅଧିକାର ନେଇ ନିଶ୍ଚିନ୍ତ ପ୍ରଶ୍ନ ଉଠାଇବ। ରାଜନୈତିକ ଚିନ୍ତକମାନଙ୍କୁ ଏହିସବୁ ସମସ୍ୟା ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଫୋ- ୯୪୩୭୪୦୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।