ମୁମ୍ବାଇ: ମହାରାଷ୍ଟ୍ରରୁ ଗିରଫ ହୋଇଥିବା ଆତଙ୍କବାଦୀ ବିବାଦୀୟ ଇସ୍ଲାମ ଧର୍ମ ପ୍ରଚାରକ ଜାକିର ନାଏକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ସ୍ୱୀକାର କରିଛନ୍ତି। ମୁମ୍ବାଇର ଏକ କୋର୍ଟରେ ଏଟିଏସ୍ ଚାର୍ଜଶିଟ୍ ଦାଖଲ ହେବାପରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଗିରଫ ହୋଇଥିବା ଏହି ଆତଙ୍କବାଦୀମାନେ ଏକ ମନ୍ଦିରର ମହାପ୍ରସାଦରେ ବିଷ ମିଶାଇ ଗଣହତ୍ୟା ପାଇଁ ପ୍ରୟାସ କରିଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଏବଂ ବିଷ ତିଆରି କରିବାର ତାଲିମ ନେଇଥିଲେ। ଥାଣେ ଜିଲ୍ଲାର ମୁମ୍ବାଇ ବାଇପାସ୍ଠାରେ ଏକ ପାହାଡ଼ ନିକଟରେ ସେମାନେ ବିସ୍ଫୋରଣ ଅଭ୍ୟାସରେ ମଧ୍ୟ ଭାଗ ନେଇଥିଲେ। ମହାରାଷ୍ଟ୍ରର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ଆଇଏସ୍ ସହ ଲିଙ୍କରେ ଥିବା ଉମ୍ମତ୍-ଇ-ମହମ୍ମଦିଆ ନାମକ ଏହି ଆତଙ୍କୀ ଗ୍ରୁପ୍ର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିସାରିଛି। ସେମାନେ ବଡ଼ ବଡ଼ ଜନସମାଗମରେ ଗଣହତ୍ୟା କରିବା ଯୋଜନାରେ ଥିଲେ।
ଏହି ମାମଲାରେ ପୂରା ତଦନ୍ତ ପରେ ଚାର୍ଜଶିଟ୍ ଦାଖଲ ହୋଇଥିଲା, ଯେଉଁଥିରେ ଚମ୍କାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ଚାର୍ଜଶିଟ୍ରେ କୁହାଯାଇଛି, ଅଭିଯୁକ୍ତମାନେ ଜାକିର ନାଏକଙ୍କ ଭାଷଣ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଅଭିଯୁକ୍ତମାନଙ୍କ ସୋଶାଲ ମିଡିଆ ଆଇଡିରୁ ଜାକିର ନାଏକଙ୍କ ଭିଡିଓ ଏବଂ ଫଟୋ ମିଳିଛି। ସେମାନେ ୪୦୦ ବର୍ଷ ପୂରୁଣା ମୁମ୍ବ୍ରାଇ ସ୍ଥିତ ପ୍ରସିଦ୍ଧ ମୁମ୍ବ୍ରେଶ୍ୱର ମନ୍ଦିରରେ ଗଣହତ୍ୟା କରିବା ଯୋଜନାରେ ଥିଲେ। ଗିରଫ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ତଲ୍ହା ପୋଟ୍ରିକ୍ ଏହି ମନ୍ଦିରରେ ଭକ୍ତଙ୍କ ପ୍ରାସାଦରେ ବିଷ ମିଶାଇବାକୁ ପ୍ରୟାସ କରିଥିଲା ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।