ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଶକ୍ତ ଝଟକା, ଇସ୍ତଫା ଦେଲେ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ବୋରିସ୍ ଜନସନ ସରକାରଙ୍କୁ ଲାଗିଛି ଶକ୍ତ ଝଟକା। ଜଣକ ପରେ ଜଣେ ମନ୍ତ୍ରୀ ଜନସନଙ୍କ ହାତ ଛାଡ଼ି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି। ଗତକାଲି  ପ୍ରଥମେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ ଇସ୍ତଫା ଦେଇଥିବା ବେଳେ ଏହାର କିଛି ସମୟ ମଧ୍ୟରେ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଭାରତୀୟ ବଂଶୋଭବ ତଥା ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ । ସୁନାକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ  ସରକାର ଛାଡିବା ଯୋଗୁ ଖୁବ୍‌ ଦୁଃଖିତ […]

boris-johnson

Niharika Rout
  • Published: Wednesday, 06 July 2022
  • , Updated: 06 July 2022, 09:19 AM IST

ଲଣ୍ଡନ: ବ୍ରିଟେନର ବୋରିସ୍ ଜନସନ ସରକାରଙ୍କୁ ଲାଗିଛି ଶକ୍ତ ଝଟକା। ଜଣକ ପରେ ଜଣେ ମନ୍ତ୍ରୀ ଜନସନଙ୍କ ହାତ ଛାଡ଼ି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି। ଗତକାଲି  ପ୍ରଥମେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ ଇସ୍ତଫା ଦେଇଥିବା ବେଳେ ଏହାର କିଛି ସମୟ ମଧ୍ୟରେ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଭାରତୀୟ ବଂଶୋଭବ ତଥା ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ।

ସୁନାକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ  ସରକାର ଛାଡିବା ଯୋଗୁ ଖୁବ୍‌ ଦୁଃଖିତ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ  ନେଇ ଆଗକୁ ବଢ଼ିବା ଅସମ୍ଭବ ପରି ଲାଗୁଛି।  ନିଜ ଇସ୍ତଫା ପତ୍ରରେ ସୁନାକ ଉଲ୍ଲେଖ କରିଛନ୍ତି , "କ୍ଷମତାରେ ଥିବା ସରକାର ଦକ୍ଷ ହେବା ସହ ସଠିକ୍ ଭାବେ ସବୁ ସମସ୍ୟାକୁ ପରିଚାଳନା କରିବ ବୋଲି ଜନସାଧାରଣ ଆଶା କରୁଛନ୍ତି।  ହେଲେ ତାହା ପୂରଣ ହେବା ପରି ଲାଗୁନି । ଏହା ମୋର ଶେଷ ମନ୍ତ୍ରୀ ପଦ ହୋଇପାରେ ବୋଲି ଅନୁମାନ କରୁଛି । ନିଜ ସଂଗ୍ରାମକୁ ଆଗକୁ ଜାରି ରଖିବାକୁ ମୁଁ ଇସ୍ତଫା ଦେଉଛି।

ଏହାବାଦ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭେଦ୍  ନିଜ ଇସ୍ତଫାପତ୍ରରେ ଜନସନଙ୍କ ଉପରୁ ଭରସା ଓ ବିଶ୍ୱାସ ତୁଟି ଯାଇଥିବାରୁ ଏପରି ପଦକ୍ଷେପ ନେଉଥିବା କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ,  ବହୁ ଅନିୟମିତତା, କେଳେଙ୍କାରୀ ସାମନାକୁ ଆସିବା ପରେ ଜନସନ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଶାସନ କରିବେ ବୋଲି ମୁଁ ଭରସା କରିପାରୁ ନାହିଁ । ନିଜ ପତ୍ରରେ ଜନସନଙ୍କୁ ସମ୍ବୋଧନ କରି ସେ ଲେଖିଛନ୍ତି, ଆପଣଙ୍କ ନେତୃତ୍ୱରେ ଦେଶର ସ୍ଥିତି ବଦଳିବ ନାହିଁ। ତେଣୁ ମୁଁ ଆପଣଙ୍କ ଉପରୁ ଆତ୍ମବିଶ୍ୱାସ ହରାଇ ବସିଛି।

ଅଚାନକ ଭାବେ ୨ ପ୍ରମୁଖ ମନ୍ତ୍ରୀଙ୍କ ଇସ୍ତଫା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ବିଶ୍ଳେଷକ । ନିକଟରେ ୨ଟି ଉପନିର୍ବାଚନ ହୋଇଥିବା ବେଳେ କନଜରଭେଟିଭ ପାର୍ଟିକୁ ପରାଜୟର ସାମନା କରିବାକୁ ପଡ଼ିଥିଲା।

ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଜନସନଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କ ଇସ୍ତଫା ଜନସନ ସରକାର ପ୍ରତି ଏକ ଶକ୍ତ ଝଟକା । ନିଜ ଦଳ ଭିତରେ ଜନସନଙ୍କ ନେତୃତ୍ୱ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନା ମୁତାବକ, କରୋନା ସମୟରେ ସମଗ୍ର ବ୍ରିଟେନରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ନିଜ ଘରେ ପାର୍ଟି ଆୟୋଜନ କରିବାକୁ ନେଇ ବିବାଦୀୟ ହୋଇପଡିଥିଲେ ଜନସନ । ଏହାକୁ ପାର୍ଟିଗେଟ ସ୍କାଣ୍ଡାଲ ବୋଲି କୁହାଯାଉଥିବା ବେଳେ  ଏହି ଘଟଣାକୁ ନେଇ ତାଙ୍କୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡିଥିଲା। ଏହି ମାମଲାକୁ ନେଇ ଦୀର୍ଘ ଦିନ ହେବ ତଦନ୍ତ ଜାରି ରହିଥିବା ବେଳେ ଜନ୍‌ସନ୍‌ ଓ ତାଙ୍କ ପତ୍ନୀଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା ।

ଏହି ସ୍କାଣ୍ଡାଲ ଯୋଗୁ ଜନସନଙ୍କ ଛବି ମଳିନ ହୋଇଥିବା ବେଳେ ଏହାପରେ ତାଙ୍କର ଜଣେ ମନ୍ତ୍ରୀ ଯୌନ ଉତ୍ପୀଡ଼ନ ମାମଲାରେ ଫସି ଯାଇଥିଲେ।  ଏହି ୨ଟି ଘଟଣା ଜନସନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ମନ୍ତ୍ରୀମଣ୍ଡଳରେ ହିଁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନେଇ ଜନସନ ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି, ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହେବା ପରେ ପିଞ୍ଚରଙ୍କୁ ଡେପୁଟି ଚିଫ୍ ଭାବରେ ସରକାରୀ ଭୂମିକା ପ୍ରଦାନ କରିଥିବାରୁ ସେ ଅତ୍ୟନ୍ତ ଦୁଃଖିତ।  ଏହା କରିବା ଭୁଲ ଥିଲା ଏବଂ ଯେଉଁମାନେ ଏହା ଦ୍ୱାରା ଖରାପ ପ୍ରଭାବିତ ହୋଇଛନ୍ତି ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ମୁଁ ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ  ହିଂସା  ମନୋଭାବ ପୋଷଣ କରୁଥିବା ବ୍ୟକ୍ତି କିମ୍ବା ନିଜ ପଦର ଦୁରପଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ମୋ’ ସରକାରରେ କୌଣସି ସ୍ଥାନ ନାହିଁ।

Related story