ନୂଆଦିଲ୍ଲୀ: ବର୍ଷ ୨୦୧୯ ବିଦାୟୀ ନେବାକୁ ଯାଉଛି। ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆ ବର୍ଷରେ ପାଦ ଥାପିବା ପୂର୍ବରୁ ସରକାରଙ୍କର ୬ଟି ନିୟମ ବଦଳି ଯାଉଛି। ଏହି ସବୁ ନିୟମ ହେଲା ପାନ ଆଧାର ଲିଙ୍କ୍, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫିଲିଂ, ଷ୍ଟେଟ ମ୍ୟାଗନେଟ ଷ୍ଟ୍ରାଇପ୍ କାର୍ଡ, ସବକା ବିଶ୍ୱାସ ଯୋଜନା ଏବଂ ଏନଇଏଫଏଟି ଟ୍ରାଞ୍ଜାକସନ।
ପାନ୍ ଆଧାର ଲିଙ୍କ୍
ପାନ କାର୍ଡ ଓ ଆଧାର କାର୍ଡ ଲିଙ୍କର ଶେଷ ତାରିଖ ଡିସେମ୍ୱର ୩୧ ରହିଛି। ଯଦି ଆପଣ ପାନ୍ କାର୍ଡ ସଂଯୋଗ ନକରିବେ ତା’ହେଲେ ଏହା ଅବୈଧ ହୋଇଯିବ। ଫଳରେ ସେହି ପାନ୍ କାର୍ଡକୁ ବ୍ୟବହାର କରି ଆର୍ଥିକ ନେଣଦେଣ କରିହେବ ନାହିଁ। ପ୍ରଥମେ ସେପ୍ଟେମ୍ୱର ୩୦ ପାନ୍ ଆଧାର ଲିଙ୍କର ଶେଷ ତାରିଖ ଥିଲା। ପରବର୍ତ୍ତୀ ସମୟରେ ସରକାର ଏହି ଅବଧିକୁ ବଢ଼ାଇ ଡିସେମ୍ୱର ୩୧ କରିଛନ୍ତି।
ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ
୨୦୧୮-୧୯ ଆର୍ଥିକ ବର୍ଷର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ତାରିଖ ୩୧ ମାର୍ଚ୍ଚ ୨୦୨୦ ରହିଛି। ଯଦି ଜଣେ ଡିସେମ୍ୱର ୩୧ ସୁଦ୍ଧା ରିଟର୍ଣ୍ଣ ଫାଇଲ କରିବ ତାହେଲେ ତାଙ୍କୁ କମ୍ ଜୋରିମାନା ଦେବାକୁ ପଡ଼ିବ। ୩୧ ଅଗଷ୍ଟ ସୁଦ୍ଧା ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଇଥିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିନଥିଲା। ଏବେ ସେପ୍ଟେମ୍ୱରରୁ ଡିସେମ୍ୱର ୩୧ ମଧ୍ୟରେ ଯେଉଁମାନେ ଟ୍ୟାକ୍ସ ରିଟର୍ଣ୍ଣ କରିବେ ସେମାନଙ୍କୁ ୫ ହଜାର ଏବଂ ୧ ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୩୧ ମଧ୍ୟରେ ଟ୍ୟାକ୍ସ ପଇଠ କଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ହେବ।
ଷ୍ଟେଟ ବ୍ୟାଙ୍କ ମ୍ୟାଗନେଟିକ୍ କାର୍ଡ
ନୂଆ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେବାକୁ ଯାଉଛି। ଏହା ପୂର୍ବରୁ ଆପଣଙ୍କ ପାଖରେ ଥିବା ମାଗନେଟିକ ଷ୍ଟ୍ରାଇପ ଡେବିଟ କାର୍ଡକୁ ଘରୋଇ ବ୍ୟାଙ୍କ ଶାଖାକୁ ଯାଇ ବଦଳ କରି ଦିଅନ୍ତୁ। ନଚେତ ଆପଣ ଜାନୁଆରୀ ୧ରୁ ମାଗନେଟିକ ଷ୍ଟ୍ରାଇପ ଏଟିଏମରୁ ପଇସା ଉଠାଇ ପାରିବେ ନାହିଁ। କାରଣ ନୂଆ ବର୍ଷରୁ ଏସବିଆଇ ନିଜ ଗ୍ରାହକଙ୍କୁ କେବଳ ଇଏମଭି ଚିପ୍ ଏଟିଏମରୁ ପଇସା ଉଠାଇବା ପାଇଁ ଅନୁମତି ଦେବ।
ସବକା ବିଶ୍ୱାସ ଯୋଜନା
ସର୍ଭିସ ଟ୍ୟାକ୍ସ ଏବଂ ଅବକାରୀ ଶୁଳ୍କ ସହିତ ଜଡ଼ିତ ପୁରୁଣା ଓ ବିବାଦିତ ମାମଲାର ସମାଧାନ ପାଇଁ ଆରମ୍ଭ ହୋଇଥିବା ସବକା ବିଶ୍ୱାସ ଯୋଜନାର ଅବଧି ଡିସେମ୍ୱର ୩୧ରେ ଶେଷ ହେଉଛି। ଏବେ ଏହି ଯୋଜନାର ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ଜଣାପଡ଼ିଛି। ଏକ ସେପ୍ଚେମ୍ୱରରୁ ଆରମ୍ଭ ହୋଇଥିଲା ଏହି ଯୋଜନା।
ଏନଏଇଏଫଟି ଟ୍ରାଞ୍ଜାକସନ ଉପରେ ଲାଗିବ ନାହିଁ ଶୁଳ୍କ
ନୂଆ ବର୍ଷଠୁ ଗ୍ରାହକଙ୍କୁ ବ୍ୟାଙ୍କ ସେବା ଆଉ ଟିକେ ସରଳୀକରଣ ହେବାକୁ ଯାଉଛି। କାରଣ ଜାନୁଆରୀ ୧, ୨୦୨୦ରୁ ଏନଇଏଫଟି ଜରିଆରେ ନେଣଦେଣ କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।
ଜିଏସଟି ଟ୍ରାଞ୍ଜାକସନ
ଜିଏସଟି ପଞ୍ଜିକରଣକୁ ଆହୁରି ସରଳୀକରଣ କରିବାକୁ ଯାଇ ସରକାର ଏବେ ଆଧାର କାର୍ଡକୁ ମାଧ୍ୟମ କରିଛନ୍ତି। ଏବେ ଆଧାର କାର୍ଡ ଜରିଆରେ ଜିଏସଟି ପଞ୍ଜିକରଣ ହେବ। ନୂଆ ଜିଏସଟି ରିଟର୍ଣ୍ଣ ଫାଇଲ୍ ସିଷ୍ଟମ ଏବେ ୧ ଜାନୁଆରୀ ୨୦୨୦ରୁ ଲାଗୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।