ବେଙ୍ଗାଲୁରୁ: ଆଜିର ସମାଜରେ ଅନେକ କ୍ଷେତ୍ରରେ କୁହାଯାଏ, ଚୋର ଗଲା ପରେ ପୁଲିସ ଆସେ। ଯେଉଁଥିରୁ ଚୋର ପୁଲିସ ଅପେକ୍ଷା ଅଧିକ ଚତୁର ବୋଲି ପ୍ରମାଣିତ ହୋଇଥାଏ। ଆଉ ଅପରାଧୀ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି କିଛି ଚତୁର ପଦକ୍ଷେପ ନେଇଥାଏ, ଯେଉଁଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥାଏ। ହେଲେ ଚୋର ଯଦି ଅଭିଜ୍ଞ ହୋଇନଥିବ ତାହେଲେ ପୁଲିସ ହାତରେ ଅତି ସହଜରେ ଧରାପଡ଼ିବା ସୁନିଶ୍ଚିତ। ବେଙ୍ଗାଲୁରୁରେ ଠିକ୍ ଏହି ଭଳି ଏକ ଘଟଣା ଘଟିଛି। ଚୋରଟି ଚତୁର ନଥିବାରୁ ପୁଲିସ ତାର ପ୍ଲାନ ବାବଦରେ ଆଗୁଆ ଜାଣି ତାକୁ ଗିରଫ କରିବାରେ ସକ୍ଷମ ହେଇଛି।
କୁଶଲ ସିଂହ ବୟସ ୨୧। ବେଙ୍ଗାଲୁରୁର ବ୍ୟବସାୟୀ ମେହକ ଭି ପିରଗଲଙ୍କ ଘରେ ଚାକର ଥିଲା। ଅକ୍ଚୋବର ୨୭ ତାରିଖ ଦିନ ଦୀପାବଳି ଥିଲା। ଏହି ଅବସରରେ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ବୁଲିବା ପାଇଁ ଚିକପେଟକୁ ଯାଇଥିଲେ। କୁଶଲକୁ ଘର ଜଗାଇ ଦେଇଥିଲେ। ହେଲେ ରାତିରେ ଘରକୁ ଫେରିବା ବେଳକୁ ଘର ଆଲମାରୀରୁ ସୁନା, ଅଳଙ୍କାର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ ବ୍ୟବସାୟୀ ଜଣଙ୍କ। ଏଥିସହିତ କୁଶଲର ଆଉ ପତ୍ତା ମିଳିନଥିଲା। ଏହାପରେ ବ୍ୟବସାୟୀ ଜଣଙ୍କ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ କୁଶଲ ଉପରେ ସନ୍ଦେହ ପ୍ରକାଶ କରି କୁଶଲର ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରିଥିଲା। କୁଶଲ ଟ୍ରେନରେ ରାଜସ୍ଥାନର ଆଜମେର ଯାଉଥିବା ଜଣାପଡ଼ିଥିଲା।
ଏହାପରେ ପୁଲିସ ସଙ୍ଗେସଙ୍ଗେ ବିମାନ ଯୋଗେ ରାଜସ୍ଥାନର ଜୟପୁରକୁ ଆସି ଆଜମେର ଷ୍ଟେସନକୁ ଆସିଥିଲା। ତିନି ଦିନ ପରେ ଆଜମେର ଷ୍ଟେସନରେ କୁଶଲ ଓହ୍ଲାଇବା ମାତ୍ରେ ପୁଲିସ ସଙ୍ଗେସଙ୍ଗେ ଗିରଫ କରିନେଇଥିଲା। ଏହାପରେ କୁଶଲକୁ ସାଙ୍ଗରେ ଧରି ପୁଲିସ ବେଙ୍ଗାଲୁରୁ ଆସିଥିଲା।
ପୁଲିସ କୁଶଲକୁ ପଚରାଉଚରା କରି ସମସ୍ତ ଗହଣ ଜବତ କରିଛି। ପ୍ରଥମଥର ପାଇଁ କୁଶଲ ବେଙ୍ଗାଲୁରୁ ଯାଇଥିଲା। ତେଣୁ କୌଣସି ସ୍ଥାନ ବାବଦରେ ଜାଣିନଥିଲା। ତେଣୁ ଚୋରି କରିବା ପରେ ବଜାରରେ ବିକ୍ରି କରିବାକୁ ସେ ଚିନ୍ତା କରିପାରିନଥିଲା ବୋଲି ସ୍ଥାନୀୟ ପୁଲିସ କହିଛି। ତା ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ପୁଲିସ ସ୍ପଷ୍ଟ କରିଛି। କୁଶଲ ଶୀଘ୍ର କିଛି ପଇସା ସଞ୍ଚୟ କରି ସୁଖରେ ରହିବା ପାଇଁ ଇଚ୍ଛା କରି ଏଭଳି ଭୁଲ୍ ବାଟରେ ସେ ପାଦ ଥାପିଥିଲା ବୋଲି ବେଙ୍ଗାଲୁରୁ ପୁଲିସ କହିଛି।