ଚେନ୍ନାଇ: ଜାତୀୟ ହିନ୍ଦୀ ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ଟୁଇଟ୍ କରି ଆହ୍ୱାନ କରିଛନ୍ତି ଗୋଟିଏ ଦେଶ ଗୋଟିଏ ଭାଷାକୁ ଗୁରୁତ୍ୱ ଦେବା ପାଇଁ ହିନ୍ଦୀ ଭାଷାକୁ ସମସ୍ତ ଦେଶବାସୀ ନିଜ ମାତୃଭାଷା ସହ ଗୁରୁତ୍ୱ ଦେବାକୁ ଶାହ ଆହ୍ୱାନ କରିଛନ୍ତି। ଏବେ ଶାହଙ୍କର ଏହି ଆହ୍ୱାନକୁ ସମାଲୋଚନା କରିଛନ୍ତି ତାମିଲନାଡୁର ବିରୋଧୀ ଦଳ ଡିଏମକେ ସୁପ୍ରିମୋ ଏମ୍ କେ ଷ୍ଟାଲିନ୍।
ସେ ତାମିଲରେ ଟୁଇଟ କରି କହିଛନ୍ତି ଏହା ‘ଇଣ୍ଡିଆ’ ‘ହିଣ୍ଡିଆ’ ନୁହଁ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଏପରି ଆହ୍ୱାନ ଭାଷାଗତ ଯୁଦ୍ଧକୁ ଆହ୍ୱାନ କରୁଛି ବୋଲି ସେ କହିଛନ୍ତି। ଭାରତର ଅଖଣ୍ଡତାରେ ବିଶ୍ୱାସ କରୁଥିବା ବେଳେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଯେଉଁ ରାଜ୍ୟମାନଙ୍କରେ ହିନ୍ଦୀ ଭାଷାର ଗୁରୁତ୍ୱ ରହୁନଥିବାରୁ ପ୍ରମୁଖ ଅଧିକାର ପାଇପାରୁ ନାହିଁ ଆଗାମୀ ଦିନରେ ସେ ସମସ୍ତ ରାଜ୍ୟକୁ ଏକଜୁଟ କରିବା ପାଇଁ ଡିଏମକେ ସଙ୍କୋଚ ପ୍ରକାଶ କରିବ ନାହିଁ ବୋଲି ଷ୍ଟାଲିନ୍ କହିଛନ୍ତି। ଅମିତ ଶାହ ତାଙ୍କ ମନ୍ତବ୍ୟ ଫେରାଇନେବା ଉଚିତ୍ ବୋଲି ସେ କହିଛନ୍ତି।
ଆଜି ଜାତୀୟ ହିନ୍ଦୀ ଦିବସ ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ। ଭାରତରେ ବିଭିନ୍ନ ଭାଷାଭାଷୀର ଲୋକ ରୁହନ୍ତି। ପ୍ରତ୍ୟେକ ଭାଷାର ମହତ୍ୱ ଏବଂ ଗୁରୁତ୍ୱ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଦେଶର ଗୋଟିଏ ଭାଷା ରହିବା ଆବଶ୍ୟକ, ଯାହାକି ବିଶ୍ୱରେ ଭାରତକୁ ପରିଚିତ କରାଇବ ବୋଲି ସେ କହିଛନ୍ତି। ଆଜି ଯଦି ସାରା ଦେଶକୁ ଗୋଟିଏ ଭାଷା ଏକଜୁଟ କରିପାରିବ ତାହା ହିନ୍ଦୀ ଭାଷା ବୋଲି ଶାହ କହିଛନ୍ତି।
ତେଣୁ ହିନ୍ଦୀ ଦିବସ ଅବସରରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ମାତୃଭାଷାକୁ ଗୁରୁତ୍ୱ ଦେବା ସହିତ ହିନ୍ଦୀ ଭାଷାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ମଧ୍ୟ ଟୁଇଟ୍ କରି ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀ ଭାଷା ହିଁ ଦେଶକୁ ଏକତ୍ରିତ କରି ପାରିଛି ବୋଲି ସେ କହିଛନ୍ତି।
ହିନ୍ଦୀ ଦିବସ ପ୍ରତ୍ୟେକ ବର୍ଷ ୧୪ ସେପ୍ଟେମ୍ୱରରେ ପାଳିତ ହୁଏ। କାରଣ ଏହି ତାରିଖରେ ସମ୍ୱିଧାନ ହିନ୍ଦୀ ଭାଷାକୁ ଜାତୀୟ ଭାଷା ଭାବରେ ମାନ୍ୟତା ଦେଇଥିଲା।
ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା କରିବା ନେଇ ଦକ୍ଷିଣ ରାଜ୍ୟ ଗୁଡ଼ିକ ବିରୋଧ କରିଆସୁଛନ୍ତି। ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା ନେଇ ବିରୋଧ କରି ଆସୁଛନ୍ତି।
ଚଳିତ ବର୍ଷ ଜୁନରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୧୯ର ଡ୍ରାଫ୍ଟ ସଂସ୍କରଣ ପରେ ଏହି ଭାଷାଗତ ବିବାଦ ତେଜିଥିଲା। ଏହି ଡ୍ରାଫ୍ଟ ଅନୁଯାୟୀ ଦକ୍ଷିଣ ରାଜ୍ୟଗୁଡ଼ିକରେ ସ୍କୁଲ୍ ଯାଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ହିନ୍ଦୀ ଶିକ୍ଷା ଲାଭ କରିବା ଅନିର୍ବାର୍ଯ୍ୟ ଥିଲା। ଯାହାକୁ ଏଆଇଡିଏଏମକେ, ଡିଏମକେ ସମେତ ତାମିଲନାଡୁର ପ୍ରମୁଖ ଦଳ କେନ୍ଦ୍ରର ଏହି ଶିକ୍ଷାନୀତି ରାଜନୀତିକ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ ହୋଇଛି ବୋଲି କହିଥିଲେ।
ସେତେବେଳେ ଡିଏମକେ ଏବଂ ଏମଡିଏମକେ ଦଳ ହିନ୍ଦୀ ଭାଷାକୁ ସାରା ଦେଶରେ ଅନିର୍ବାର୍ଯ୍ୟ କଲେ ଭାଷା ଯୁଦ୍ଧ ହେବ ବୋଲି କେନ୍ଦ୍ରକୁ ଚେତାବନୀ ଦେଇଥିଲେ। ସେହିପରି କେରଳର କଂଗ୍ରେସ ସାଂସଦ ଶଶୀ ଥରୁର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ହିନ୍ଦୀ ଭାଷାକୁ ଜୋର ଜବରଦସ୍ତି ଶିଖିବା ପାଇଁ ଥୋପିଦେବା ଉଚିତ୍ ନୁହେଁ।
ଏହାପରେ ସେତେବେଳେ କେନ୍ଦ୍ର ସରକାର ଶିକ୍ଷା ଡ୍ରାଫ୍ଟରେ ସଂଶୋଧନ କରି ହିନ୍ଦୀକୁ ଅନିର୍ବାର୍ଯ୍ୟ କରିବା ନିଷ୍ପତ୍ତିରୁ ଓହରିଯାଇଥିଲେ। ଏହାପରେ ତାମିଲନାଡୁ ସରକାର ଘୋଷଣା କରିଥିଲା ରାଜ୍ୟରେ ଦୁଇଟି ଭାଷାକୁ ଗୁରୁତ୍ୱ ଦିଆଯିବ, ପ୍ରଥମ ଭାଷା ତାମିଲ ଦ୍ୱିତୀୟରେ ଇଂରାଜୀ।