ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି ୭୬ ହଜାରରୁ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭୫ ହଜାର ତଳେ ରହିଛି। ତଥାପି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ପାର କରିଯାଇଛି।
୨୪ ଘଣ୍ଟାରେ ଆଉ ୭୪,୪୪୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬,୨୩,୮୧୬ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ଆଉ ୯୦୩ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୨,୬୮୫ ଛୁଇଁଛି।
ତେବେ ୨୪ ଘଣ୍ଟାରେ କରୋନାରୁ ଆଉ ୭୬,୭୩୭ ଜଣ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶରେ ଏଯାଏ କରୋନାରୁ ୫୫,୮୬,୭୦୩ ଜଣ ଆରୋଗ୍ୟ ଲାଭ କଲେଣି। ଏବେ ଭାରତରେ ଆକ୍ଟିଭ କେସ ସଂଖ୍ୟା ୯,୩୪,୪୨୭ ରହିଛି।
ଅନ୍ୟପକ୍ଷରେ ଅକ୍ଟୋବର ୪ ସୁଦ୍ଧା ଦେଶରେ ୭,୯୯,୮୨,୩୯୪ଟି ନମୁନା ପରୀକ୍ଷା କରା ଗଲାଣି। କେବଳ ଗତକାଲି ୯,୮୯,୮୬୦ଟି ନମୁନା ପରୀକ୍ଷା କରାଯାଇଛି।