ଇତିହାସର ଡଷ୍ଟବିନକୁ ଗଲା ଟ୍ରିପଲ ତଲାକ ପ୍ରଥା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ବା ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ଶେଷରେ ରାଜ୍ୟସଭାରେ ପାରିତ ହୋଇଯାଇଛି। ତତ୍କାଳ ଟ୍ରିପଲ୍‌ ତଲାକ୍‌କୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବାର ବ୍ୟବସ୍ଥା ଥିବା ଏହି ବିଲ୍‌ ଦୀର୍ଘ ଆଲୋଚନା ଏବଂ କଳ୍ପନାଜଳ୍ପନା ପରେ ୯୯-୮୪ ଭୋଟ୍‌ରେ ପାରିତ ହୋଇଛି। ଅନ୍ୟପକ୍ଷରେ ଏହାପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍‌ ୧୦୦-୮୪ ଭୋଟ୍‌ରେ କାଟ୍‌ ଖାଇଥିଲା। ବିଲ୍‌ […]

talaq

Subrat Kumar Nayak
  • Published: Tuesday, 30 July 2019
  • , Updated: 30 July 2019, 10:26 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ବା ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ଶେଷରେ ରାଜ୍ୟସଭାରେ ପାରିତ ହୋଇଯାଇଛି। ତତ୍କାଳ ଟ୍ରିପଲ୍‌ ତଲାକ୍‌କୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବାର ବ୍ୟବସ୍ଥା ଥିବା ଏହି ବିଲ୍‌ ଦୀର୍ଘ ଆଲୋଚନା ଏବଂ କଳ୍ପନାଜଳ୍ପନା ପରେ ୯୯-୮୪ ଭୋଟ୍‌ରେ ପାରିତ ହୋଇଛି। ଅନ୍ୟପକ୍ଷରେ ଏହାପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍‌ ୧୦୦-୮୪ ଭୋଟ୍‌ରେ କାଟ୍‌ ଖାଇଥିଲା। ବିଲ୍‌ ପାରିତ ହେବାପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ଆଜିର ଦିନ ଏକ ଐତିହାସିକ ଦିନ। ଉଭୟ ଗୃହର ସଦସ୍ୟ ମୁସଲିମ୍‌ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଏହା ଏକ ବଦଳୁଥିବା ଭାରତର ଆରମ୍ଭ।

ଏନ୍‌ଡିଏର ସହଯୋଗୀ ଦଳ ହୋଇଥିଲେ ସୁଦ୍ଧା ଆଜିର ଏହି ଭୋଟିଂରେ ଜେଡିୟୁ ଏହି ବିଲ୍‌କୁ ବିରୋଧ କରିଥିଲା। ଅନ୍ୟପକ୍ଷରେ ଏଆଇଡିଏମ୍‌କେ, ଟିଆରଏସ୍‌ ଏବଂ ଟିଡିପି ସଦସ୍ୟମାନେ ଭୋଟ୍‌ ଦେବାରୁ ବିରତ ରହିଥିଲେ। ଅନ୍ୟପକ୍ଷରେ ଭୋଟିଂ ଆରମ୍ଭ ହେବାପରେ ବିଏସ୍‌ପି ସାଂସଦମାନେ ଗୃହ ବାହାରକୁ ପଳାଇଥିଲେ। ମେହବୁବା ମୁଫ୍‌ତିଙ୍କ ପିଡିପି ଭୋଟିଂରୁ ବିରତ ରହିବା ପରେ ବିଲ୍‌ ପାରିତ କରିବା ପାଇଁ ମ୍ୟାଜିକ୍‌ ନମ୍ବରରେ ହ୍ରାସ ଘଟିଥିଲା। ଅନ୍ୟପକ୍ଷରେ ଏନ୍‌ଡିଏର ଅଂଶୀଦାର ନ ଥିଲେ ମଧ୍ୟ ଓଡ଼ିଶାରେ କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡି ଏହି ବିଲ୍‌କୁ ସମର୍ଥନ ଜଣାଇ ଏହି ବିଲ୍‌କୁ ପାରିତ କରିବାରେ ସାହାଯ୍ୟ କରିଥିଲା।

ଏହି ବିଲ୍ ପାଇଁ ଆଜି ଭୋଟିଂ ଚାଲିଥିବା ସମୟରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଓ ପ୍ରଫୁଲ୍ଲ ପଟେଲ, କଂଗ୍ରେସର ୫ ଜଣ, ସମାଜବାଦୀ ପାର୍ଟିର ୬ ଜଣ, ବହୁଜନ ସମାଜ ପାର୍ଟିର ୪ ଜଣ, ଟିଏମ୍‌ସିର ୨ ଜଣ ଏବଂ ଆରଜେଡି ଓ ଡିଏମ୍‌କେର ଜଣେ ଲେଖାଏ ସଦସ୍ୟ ଅନୁପସ୍ଥିତ ରହିଥିଲେ।

ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେରିବା ପରେ ଏହି ବିଲ୍‌ ତାଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏବଂ ସରକାର ଏନେଇ ବିଜ୍ଞପ୍ତି ଜାରି କରିବା ପରେ ଯାଇ ଏହା ଫେବୃଆରୀରେ ଜାରି କରାଯାଇଥିବା ଟ୍ରିପଲ ତଲାକ୍‌ ଅର୍ଡିନାନ୍ସର ସ୍ଥାନ ନେବ। ୨୦୧୭ ମସିହା ଅଗଷ୍ଟ ମାସରେ ଟ୍ରିପଲ୍‌ ତଲାକ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏହି ବିଲ୍‌ ଅଣାଯାଇଥିଲା। ୨୦୧୭ ମସିହା ଡିସେମ୍ବର ମାସଠାରୁ ଏହି ବିଲ୍‌କୁ ନେଇ ବିରୋଧୀ ଏବଂ ସରକାର ମୁହାଁମୁହିଁ ହୋଇଆସୁଥିଲେ।

ତତ୍କାଳ ଟ୍ରିପଲ ତଲାକ୍‌ ଅଣସାମ୍ବିଧାନିକ ବୋଲି ସୁପ୍ରିମ୍‌କୋର୍ଟ ପୂର୍ବରୁ ତାଙ୍କ ରାୟରେ ସ୍ପଷ୍ଟ କରିଦେଇ ଥିଲେ। ୩ ଥର ତଲାକ୍‌ ଉଚ୍ଚାରଣ ପରେ ଛାଡ଼ପତ୍ର ଦେବା ଅବୈଧ ଏବଂ ବେଆଇନ ବୋଲି ମଧ୍ୟ ମାନ୍ୟବର ସର୍ବୋଚ୍ଚ କୋର୍ଟ କହିଥିଲେ। ଏହାକୁ ଅପରାଧର ମାନ୍ୟତା ଦେବା ପାଇଁ ଏବଂ ମୁସଲିମ୍‌ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ବିଲ୍‌ ଆଇନରେ ପରିଣତ ହେଲେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦିଆଯାଇ ପାରିବ। ଏତଦ୍‌ବ୍ୟତୀତ ଫୋନ୍‌, ହ୍ୱାଟ୍ସଆପ୍‌ ଏବଂ ସ୍କାଇପ୍‌ରେ ମଧ୍ୟ ତତ୍କାଳ ତଲାକ୍‌ ଦେବାକୁ ଅପରାଧ ଭାବେ ବିଚାର କରାଯିବ। ଏହି ବିଲ୍‌ ପୂର୍ବ ସରକାରରେ ମଧ୍ୟ ଆଗତ ହୋଇଥିଲା, କିନ୍ତୁ ରାଜ୍ୟସଭାରେ ପାରିତ ହେବା ପୂର୍ବରୁ ସରକାରଙ୍କ ଅବଧି ସରିଯିବାରୁ ଏହାର ବିଲୋପ ଘଟିଥିଲା। ଫଳରେ ସରକାର ଅଧ୍ୟାଦେଶ ଆଣି ଏହାକୁ ଅସ୍ଥାୟୀ ଭାବେ ଲାଗୁ କରିବାକୁ ପଡ଼ିଥିଲା।

Related story