ୱାଶିଂଟନ: ସାଧାରଣ ସଡ଼କ ଦୁର୍ଘଟଣା ହେଲେ ସବୁବେଳେ ମଣିଷ କିମ୍ୱା ପଶୁଙ୍କ ଜୀବନ ଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ରାସ୍ତା ଦୁର୍ଘଟଣାରେ ମହୁ ମାଛିର ମୃତ୍ୟୁ ଘଟିବା। ଏପରି ଘଟଣା ଘଟିଛି ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ। ମୋନଟାନ୍ ସହର ଠାରୁ ଉତ୍ତର କାଲିଫର୍ଣ୍ଣିଆ ଆସୁଥିବା ଏକ ଟ୍ରକ୍ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା। ଟ୍ରକ୍ ଡ୍ରାଇଭର ଏକ କାର୍କୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ନିୟନ୍ତ୍ରଣ ହରାଇ ଏକ ବନ୍ଧରେ ଗାଡ଼ିଟି ପିଟି ଦେଇଥିଲେ। ଫଳରେ ଟ୍ରକ୍ରେ ଥିବା ୧୦ ଲକ୍ଷ ମହୁମାଛିଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଯେଉଁ ମହୁମାଛି ଗୁଡ଼ିକ ଆହତ ହୋଇଥିଲେ ସେମାନଙ୍କୁ ମଧ୍ୟ ବାହାର କରାଯାଇ ପାରି ନଥିଲା। ପରେ ଆହତ ମହୁମାଛିଙ୍କୁ ସାବୁନ ପାଣି ଛିଞ୍ଚି ମାରି ଦିଆଯାଇଥିଲା। ଏହି ମହୁମାଛି ଗୁଡ଼ିକ ବଞ୍ଚିବା ସମ୍ଭବ ନଥିଲା ବୋଲି ମହୁମାଛି ଚାଷୀ କହିଥିଲେ।
ମହୁମାଛି ଚାଷୀ କହିଛନ୍ତି,“ ମହୁମାଛିଙ୍କ ମୂଲ୍ୟ ୧୦ ଲକ୍ଷ ଡଲାରରୁ ଅଧିକ (ପ୍ରାୟ ୬ କୋଟି ଟଙ୍କା)। କେବଳ ସେତିକି ନୁହେଁ ମହୁମାଛିଙ୍କ ମୃତ୍ୟୁରେ ଆମେରିକାର ବଡ଼ ଧରଣର କ୍ଷତି ହୋଇଛି। କାରଣ ପୁଣି ଥରେ ମହୁମାଛି ଉତ୍ପାଦନରେ ଏହା ପ୍ରଭାବ ପକାଇବ।”
ସୂଚନାଯୋଗ୍ୟ, ଆମେରିକାରେ ମହୁମାଛି ପାଳନ କରିବା ଏକ ବଡ଼ ବ୍ୟବସାୟ ବୋଲି ବିବେଚନା କରାଯାଏ।