ଇସଲାମାବାଦ: ସବୁ ଦେଶ ଏବଂ ଜାତିସଂଘ ପରେ ଶେଷରେ ଟ୍ୱିଟରଠାରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ। ପୂର୍ବରୁ କଶ୍ମୀର ବାବଦରେ ଅପପ୍ରଚାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଥିବା କାରଣରୁ ୨୦୦ଟି ପାକିସ୍ତାନୀ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା। ଏଥିରେ ପକ୍ଷପାତିତା ହୋଇଥିବା ଦର୍ଶାଇ ପାକିସ୍ତାନ ଟ୍ୱିଟରର ଦ୍ୱାରସ୍ଥ ହୋଇଥିଲା। ପ୍ରତିକ୍ରିୟାରେ ଟ୍ୱିଟର ପକ୍ଷରୁ କୁହାଯାଇଛି ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ନିୟମ ଅନୁଯାୟୀ କରାଯାଇଛି।
ସୋମବାର ପାକିସ୍ତାନ ସରକାର ଏହି ୨୦୦ ଟି ଆକାଉଣ୍ଟ ବନ୍ଦ ହେବା ବାବଦରେ ଟ୍ୱିଟର ନିକଟରେ ଅଭିଯୋଗ କରିଥିଲେ। ସେମାନେ କଶ୍ମୀର ବାବଦରେ ପୋଷ୍ଟ କରିବା ପରେ ଏହି ଆକାଉଣ୍ଟଗୁଡ଼ିକ ବନ୍ଦ ହୋଇଯାଇଥିଲା। ତେବେ ଟ୍ୱିଟର ପକ୍ଷରୁ କୁହାଯାଇଛି, ସମସ୍ତ ୟୁଜରମାନଙ୍କ ପାଇଁ ଟ୍ୱିଟର ନିରପେକ୍ଷତା ଅବଲମ୍ବନ କରିଥାଏ। ଏହା ରାଜନୀତିକ ଆସ୍ଥା ଏବଂ ଦେଶମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ।
ଟ୍ୱିଟର ପକ୍ଷରୁ ଜଣେ ମୁଖପାତ୍ର କହିଛନ୍ତି, "ଆମେ ଭାବୁଛୁ ଲୋକେ ଆତଙ୍କବାଦ ବିରୋଧୀ, ଘୃଣ୍ୟ ବ୍ୟବହାର ବିରୋଧୀ ଏବଂ ପ୍ଲାଟଫର୍ମ ମାନିପୁଲେସନ୍ ବିରୋଧୀ ଆଦି ପଲିସି ମଧ୍ୟରେ ସୀମିତ ରହି ପରସ୍ପର ସହ ଆଲୋଚନା କରିପାରିବେ। ଟ୍ୱିଟରରେ କେହି ମଧ୍ୟ ନିୟମଠାରୁ ଊର୍ଦ୍ଧ୍ୱରେ ନୁହେଁ।"