ନୂଆଦିଲ୍ଲୀ: ବଢ଼ିଚାଲିଛି ସାମ୍ୱାଦିକଙ୍କ ଉପରେ ଆକ୍ରମଣ। ଏଥିରୁ ବାଦ ପଡ଼ିନି ଜାତୀୟ ଘରୋଇ ଟିଭି ଚ୍ୟାନେଲ ଏବିପି ନ୍ୟୁଜର ସାମ୍ବାଦିକ ଓ କ୍ରୁ'। ରାଜଧାନୀ ଦିଲ୍ଲୀ ସ୍ଥିତ ଏବିପି ନ୍ୟୁଜର ରିପୋର୍ଟିଂ ଟିମ ଉପରକୁ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ରାତିରେ ରିପୋର୍ଟିଂ ପାଇଁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟିମ ଯାଉଥିବା କାର ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ତିନୋଟି ଯାକ ଗୁଳି କାହାରି ଦେହରେ ବାଜିନଥିବା ଜଣାପଡ଼ିଛି।
ଏବିପି ନ୍ୟୁଜର କ୍ରାଇମ ରିପୋର୍ଟର ସିଦ୍ଧାର୍ଥ ପୁରୋହିତ କହିଛନ୍ତି, ନଏଡାରୁ ସେମାନେ କରୋଲବାଗରେ ହୋଇଥିବା ଏକ ହତ୍ୟା ଘଟଣାର ରିପୋର୍ଟିଂ ପାଇଁ ଯାଉଥିଲେ। ଏହି ସମୟରେ ବରପୁଲ୍ଲା ନିକଟରେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର ନ ଅଟକିବାରୁ ସେମାନେ ପଲସର ବାଇକ ଯୋଗେ କାରକୁ ପିଛା କରିଥିଲେ। ଏହାପରେ ଦୁର୍ବୃତ୍ତ ଜଣଙ୍କ ବନ୍ଧୁକ ଦେଖାଇ କାରକୁ ଅଟକାଇବାକୁ ଚେଷ୍ଚା କରିଥିଲା। ହେଲେ ରିପୋର୍ଟର ଓ କ୍ୟାମେରାମ୍ୟାନ ମନା କରିବାରୁ କାର ଡ୍ରାଇଭର ଅଟକିନଥିଲା। ଏହାପରେ ପଲସରରେ ଥିବା ଦୁଇ ଦୁର୍ବତ୍ତଙ୍କ ମଧ୍ୟରୁ ଗାଡ଼ି ଚଳାଉଥିବା ବ୍ୟକ୍ତି ତିନି ରାଉଣ୍ଡ ଗୁଳି ଚଳାଇଥିଲା। ପ୍ରଥମଟି କାରର ଡୋର, ଦ୍ୱିତୀୟଟି ଝରକା ଏବଂ ତୃତୀୟଟି ଅନ୍ୟ ଆଡେ ବାଜିଥିବା ରିପୋର୍ଟର ଜଣଙ୍କ କହିଛନ୍ତି।
ଏହି ଘଟଣା ରାତି ୧ଟା ୩୦ରେ ଘଟିଥିଲା, ଏହାପରେ ସୁରକ୍ଷା ପାଇଁ ପୁଲିସକୁ କଲ କରିଥିଲେ ରିପୋର୍ଟର ଜଣଙ୍କ। କିନ୍ତୁ ରାତି ୩ଟା ୫ ମିନିଟରେ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ୩ ପୁଲିସ ଅଧିକାରୀଙ୍କୁ ନିଲମ୍ୱନ କରିଛି। ଏବେ ଏହି ଘଟଣାର ତଦନ୍ତ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୁଲିସ।