ମଥୁରା: ଶନିବାର ଜଣେ ମହିଳା ଘରୋଇ ବସରେ ଦିଲ୍ଲୀ ଫେରୁଥିବା ବେଳେ ଅସଦାଚାରଣର ଶିକାର ହୋଇଛନ୍ତି। ଏ ନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ଘରୋଇ ବସଟି ଯମୁନା ଏକ୍ସପ୍ରେସ ଓ୍ୱେ ଦେଇ ଆସୁଥିଲା। ଏହି ସମୟରେ ବସ ଭିତରେ ଥିବା ଜଣେ କ୍ର୍ୟୁ ମେମ୍ୱର ମହିଳାଙ୍କ ସହିତ ଅସଦାଚାରଣ କରିଥିବା ପୁଲିସ କହିଛି।
ବସଟି ମଥୁରା ଟୋଲ୍ ପ୍ଲାଜା ପହଞ୍ଚିବା ପରେ 112ରେ ଫୋନ୍ କରି ମହିଳା ଜଣଙ୍କ ପୁଲିସକୁ ଘଟଣା ବାବଦରେ ଅବଗତ କରାଇଥିଲେ ବୋଲି ପୁଲିସ କହିଛି। ଏହାପରେ ପୁଲିସ ସଙ୍ଗେସଙ୍ଗେ ସଂପୃକ୍ତ ମହିଳା ଏବଂ ଅଭିଯୁକ୍ତ ରବି (ବସ ସୁଇପର)କୁ ଓହ୍ଲାଇ ଦେଇଥିଲା। ପରେ ବସଟିକୁ ଦିଲ୍ଲୀ ଅଭିମୁଖେ ଛାଡ଼ି ଦେଇଥିଲା ପୁଲିସ।
ପୁଲିସ ଅଭିଯୁକ୍ତକୁ ପଚରା ଉଚରା କରୁଥିବା ବେଳେ ମହିଳାଙ୍କର ଡାକ୍ତରୀ ପରୀକ୍ଷା କରିଥିଲା। ପୁଲିସ ଏହାପରେ ମହିଳାଙ୍କୁ ସୁରକ୍ଷା ଦେଇ ତାଙ୍କ ଘରେ ଛାଡ଼ିଥିବା ଦିଲ୍ଲୀ ପୁଲିସ କହିଛି। ଅଭିଯୁକ୍ତ ରବି ବାହାରିଚ ଜିଲ୍ଲାର ଜଣାପଡ଼ିଛି। କୋର୍ଟ ତାକୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛି।