ୱାଶିଂଟନ୍ ଡିସି: ସମ୍ବିଧାନର ୩୭୦ ଧାରା ଅନୁଯାୟୀ ଜମ୍ମୁକଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ଅଧିକାର ଉଚ୍ଛେଦ କରାଯିବା ପରେ ଏହାକୁ ପାକିସ୍ତାନ ବିରୋଧ କରିବା ଆରମ୍ଭ କରିଛି। କିନ୍ତୁ ସେହି ପାକିସ୍ତାନର ଲୋକେ ବର୍ତ୍ତମାନ ମୋହାଜିର, ବଲୋଚ୍, ପାସ୍ତୁନ୍ ଏବଂ ହାଜରା ଆଦି ଜନଜାତିଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ସେମାନେ ପାକିସ୍ତାନ ଭିତରେ ସ୍ୱୟଂଶାସିତ ଗ୍ରେଟର କରାଚି ପାଇଁ ଦାବି କରିଛନ୍ତି। ଆମେରିକାରେ ରହୁଥିବା ଏକ ପାକିସ୍ତାନୀ ଗୋଷ୍ଠୀ ଏଭଳି ଦାବି ଉଠାଇଛି।
'ଭଏସ୍ ଅଫ୍ କରାଚି' ନାମକ ଏହି ଗ୍ରୁପ୍ର ଅଧ୍ୟକ୍ଷ ନଦୀମ୍ ନୁସରତ୍ କହିଛନ୍ତି, ପାକିସ୍ତାନ ଯେପର୍ଯ୍ୟନ୍ତ ମୋହାଜିର, ବଲୋଚ୍, ପାସ୍ତୁନ୍ ଏବଂ ହାଜରା ଆଦି ଜନଜାତିଙ୍କ ଅଧିକାର ପୂରଣ କରିପାରି ନାହିଁ, ସେତେପର୍ଯ୍ୟନ୍ତ କଶ୍ମିରୀମାନଙ୍କ ପାଇଁ ସେମାନଙ୍କ କିଛି ବି କହିବାର କୌଣସି ଅଧିକାର ନାହିଁ।
ସୂଚନାଯୋଗ୍ୟ ଯେ, ସୋମବାର ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦ ନେଇ ସଂକଳ୍ପ ପାରିତ କରାଇବା ପରେ ପାକିସ୍ତାନରେ ହଇଚଇ ଆରମ୍ଭ ହୋଇସାରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ ଭାରତ ଜାତିସଂଘର ନିୟମ ବିରୋଧରେ ଯାଉଛି। ପାକିସ୍ତାନ ସମସ୍ତ ସମ୍ଭାବ୍ୟ ଆଇନଗତ ବିକଳ୍ପର ସହାୟତା ନେବ ବୋଲି ସେ କହିଥିଲେ।
ନଦୀମ୍ ନୁସରତ୍ କହିଛନ୍ତି, “ପାକିସ୍ତାନରେ ଥିବା ସଂଖ୍ୟାଲଘୁ ଏଥ୍ନିକ୍ କମ୍ୟୁନିଟିଙ୍କ ଅଧିକାର ପୂରଣ କରିବାରେ ବିଫଳ ପାକିସ୍ତାନ କଶ୍ମିରୀଙ୍କ ଅଧିକାର ବାବଦରେ କହିବାର ସମସ୍ତ ନୈତିକତା ହରାଇସାରିଛି। କଶ୍ମିରୀଙ୍କୁ ଯେଉଁ ଅଧିକାର ମିଳିବା କଥା କୁହାଯାଉଛି, ପାକିସ୍ତାନରେ ଏଥନିକ୍ କମ୍ୟୁନିଟିଙ୍କୁ ସେହି ଅଧିକାର ମିଳିବ ତ?”