‘ତାଇୱାନ ସହ ସବୁବେଳେ ଛିଡ଼ା ହେବୁ, ବନ୍ଧୁତାକୁ ମଜବୁତ କରିବୁ’

ତାଇପେଇ: ଡ୍ରାଗନର ନାଲି ଆଖିକୁ ନ ଡରି ଗତକାଲି ରାତିରେ ତାଇୱାନ ମାଟିରେ ପାଦ ରଖିଥିଲେ ଯୁକ୍ତରାଷ୍ଟ୍ର ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି । ଗତକାଲି ରାତିରେ ନାନ୍ସି ତାଇପେଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ତାଇପେନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଉପସ୍ଥିତ ଥିଲେ। ଏହାପରେ  ଆଜି ନାନ୍ସି ପେଲୋସି ତାଇୱାନ ସଂସଦକୁ ସମ୍ବୋଧିତ କରିଛନ୍ତି। ପେଲୋସି ତାଙ୍କ ନେତୃତ୍ୱ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ସଂସଦୀୟ ସହଯୋଗ ବୃଦ୍ଧି କରିବାକୁ […]

nancy-pelosi

  • Published: Wednesday, 03 August 2022
  • , Updated: 03 August 2022, 02:48 PM IST

ତାଇପେଇ: ଡ୍ରାଗନର ନାଲି ଆଖିକୁ ନ ଡରି ଗତକାଲି ରାତିରେ ତାଇୱାନ ମାଟିରେ ପାଦ ରଖିଥିଲେ ଯୁକ୍ତରାଷ୍ଟ୍ର ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି । ଗତକାଲି ରାତିରେ ନାନ୍ସି ତାଇପେଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ତାଇପେନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଉପସ୍ଥିତ ଥିଲେ। ଏହାପରେ  ଆଜି ନାନ୍ସି ପେଲୋସି ତାଇୱାନ ସଂସଦକୁ ସମ୍ବୋଧିତ କରିଛନ୍ତି। ପେଲୋସି ତାଙ୍କ ନେତୃତ୍ୱ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ସଂସଦୀୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି।

ତାଇୱାନରେ ଆମେରିକା ସଂସଦର ବାଚସ୍ପତି ପେଲୋସି କହିଛନ୍ତି ଯେ ତାଇୱାନ ସହ ଛିଡା ହେବାକୁ ଆମେରିକା ସବୁବେଳେ ପ୍ରତିଶ୍ରୁତି ଦେଇଛି। ଆମେ ବନ୍ଧୁତାକୁ ମଜଭୁତ କରିବାକୁ ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛୁ, ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ। ସବୁବେଳେ ଆମେ ତାଇୱାନ ସହ ଛିଡ଼ା ହେବୁ । ଏହି ମଜବୁତ ମୁଳଦୁଆ ଉପରେ ଆମର ଆର୍ଥିକ ସମୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ ।  ଆମର ସ୍ୱୟଂଶାସିତ  ଶାସନ ଏବଂ ଆତ୍ମନିର୍ଭରଶୀଳତାକୁ ଆଧାର କରି ଆପୋଷ ବୁଝାମଣା ଦୃଢ ରହିବ । ଆମେ ପରସ୍ପରର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏଥିସହ ସେ କହିଛନ୍ତି ଯେ, ବିଶ୍ୱର ଅନ୍ୟତମ ସ୍ୱାଧୀନ ଦେଶ ହୋଇଥିବାରୁ ଆମେ ତାଇୱାନକୁ ପ୍ରଶଂସା କରୁଛୁ। ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମେରିକାର ନୂତନ ନିୟମ  ଆମେରିକା-ତାଇୱାନ ଆର୍ଥିକ ସହଯୋଗ ନିମନ୍ତେ ଅଧିକ ସୁଯୋଗ ପ୍ରଦାନ କରୁଛି।

ଏହି ଅବସରରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ କହିଛନ୍ତି ଯେ ଆମେରିକାର ବାଚସ୍ପତି ପେଲୋସି ପ୍ରକୃତରେ ତାଇୱାନ ପ୍ରତି ସମର୍ତପି ବନ୍ଧୁଙ୍କ ମଧ୍ୟରୁ ଅନ୍ୟତମ । ତାଇୱାନ ପାଇଁ ଆମେରିକା କଂଗ୍ରେସର ଦୃଢ଼ ସମର୍ଥନ ପ୍ରଦର୍ଶନ କରିବାକୁ ନାନ୍ସି ତାଇୱାନ ଗସ୍ତରେ ଆସିଛନ୍ତି। ଏଥିନିମନ୍ତେ ଆମେ ସଦାବେଳେ ତାଙ୍କ ନିକଟରେ କୃତଜ୍ଞ ରହିବୁ ।

ବାସ୍ତବରେ, ତାଇୱାନ ଗସ୍ତ ହେଉଛି ଗତ ୨୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରର ଆମେରିକୀୟ ଅଧିକାରୀଙ୍କ ଗସ୍ତ । ଏହା ଜଣାପଡ଼ିବା ପରେ ଚୀନ୍ ମଙ୍ଗଳବାର ଚେତାବନୀ ଦେଇଥିଲା ଯେ ଚେତାବନୀ ସତ୍ତ୍ୱେ  ଆମେରିକାର ଲୋକସଭା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତର ପ୍ରଭାବ ପକାଇବ। କାରଣ ଏହା ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତାକୁ ପ୍ରଭାବିତ କରିବ । ତାଙ୍କ ଗସ୍ତକୁ ପ୍ରତିହତ କରିବା ପାଇଁ ସେନା “ଟାର୍ଗେଟେଡ୍” ଅପରେସନ୍ କରିବ ବୋଲି ମଧ୍ୟ ବେଜିଂର ଗଣମାଧ୍ୟମ ସଂସ୍ଥା ତରଫରୁ ସୂଚନା ଦିଆଯାଇଥିଲା।

ନାନ୍ସିଙ୍କ ଗସ୍ତକୁ ନେଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କଡ଼ା ଭାଷରେ ଏକ ପତ୍ର ଜାରି କରି କୁହାଯାଇଛି,  ତାଙ୍କର ଏହି ଗସ୍ତ  ଚୀନ୍ ନୀତିର ଗୁରୁତର ଉଲ୍ଲଂଘନ ଏବଂ ଏହା ଚୀନ୍‌-ଆମେରିକାର ମିଳିତ ବୁଝାମଣାକୁ  ଉଲ୍ଲଂଘନ କରିଛି। ବାସ୍ତବରେ ଚୀନ୍ ତାଇୱାନକୁ  ନିଜର ଅଞ୍ଚଳ ବୋଲି ଦାବି କରିବା ସହ ଖୁବ୍‌ ଶୀଘ୍ର ଏହାକୁ ନିଜ ସୀମାରେ ମିଶ୍ରଣ କରିବ ବୋଲି କହିଛି ।

ପେଲୋସି ଏବେ ଏସିଆ ମହାଦେଶ ଗସ୍ତରେ ଅଛନ୍ତି | ସେ କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଇପେଇ ଗସ୍ତକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନ ଥିଲା।  ଏଥି ସହିତ, ଯେତେବେଳେ ସେ ତାଇପେଇ ଆସୁଛନ୍ତି ବୋଲି ଅନେକ ଆମେରିକୀୟ ଏବଂ ତାଇୱାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା, ଚୀନ୍ ଏହାକୁ କଡ଼ା ବିରୋଧ କରିବାକୁ ଲାଗିଲା।

Related story