ଅହମ୍ମଦାବାଦ: ମଶା ସଂଖ୍ୟା ବଢ଼ିଲେ ଆମେ ପ୍ରଶାସନ ବା ପୌର ସଂସ୍ଥାକୁ ଦାୟୀ କରିଥାଉ। କିନ୍ତୁ ଅହମ୍ମଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଦାୟୀ କରି ମାଡ଼ ମାରିବା ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ସ୍ୱାମୀଙ୍କୁ ହେମଦସ୍ତାରେ ମାଡ଼ ମାରିଥିବା ସୂଚନା ମିଳିଛି।
ମଶା ନିବାରଣରେ ବିଫଳ ଏହି ସ୍ୱାମୀଜଣଙ୍କୁ ମହିଳା ମାଡ଼ ମାରିଥିବାବେଳେ ତାଙ୍କ ଝିଅ ମଧ୍ୟ ଏଥିରେ ମା’ଙ୍କୁ ସାହାଯ୍ୟ କରିଥିଲେ। ଝିଅ ମଧ୍ୟ ଲୁଗା ସଫା କରିବାକୁ ବ୍ୟବହାର କରାଯାଉଥିବା ଏକ ଉପକରଣ ବ୍ୟବହାର କରିଥିଲେ।
ଭୁପେନ୍ଦ୍ର ଲେଉଭା ନାମକ ଏହି ବ୍ୟକ୍ତି ଜଣକ ପୁଲିସ୍ରେ ଅଭିଯୋଗ କରିବା ପରେ ଅସଲ କଥା ସାମ୍ନାକୁ ଆସିଛି। ବୁଧବାର ସକାଳେ ଲହୁଲୁହାଣ ହେବା ପରେ ସେ ସେହିଦନ ହିଁ ଥାନାକୁ ଯାଇଥିଲେ। ସେ ଥାନାରେ କହିଥିଲେ, ରୋଜଗାର କମିଯାଇଥିବାରୁ ଗତ ୨ ମାସ ହେଲା ବିଦ୍ୟୁତ ବିଲ୍ ଦେଇପାରୁନଥିଲେ।
ବିଦ୍ୟୁତ ନଥିବା କାରଣରୁ ମଶା ଦୌରାତ୍ମ୍ୟ ଆରମ୍ଭ କରିଦେଇଥିଲେ। ତେବେ ଏ ବିଷୟରେ ମହିଳା ଜଣକ ସ୍ୱାମୀଙ୍କୁ ଜଣାଇବାରୁ ଲେଉଭା କହିଥିଲେ, ମୋ ପାଖକୁ ଚାଲିଆସ ଆରାମରେ ଶୋଇବ। ଏଥିରେ ଉତ୍କ୍ଷିପ୍ତ ମହିଳା ରୋଷେଇ ଘରୁ ହେମଦସ୍ତା ଆଣି ଆକ୍ରମଣ କରିଥିଲେ। ତାଙ୍କର ଜଣେ ପଡ଼ୋଶୀ ଲେଉଭାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।