ନୂଆଦିଲ୍ଲୀ: ଦେଶର ୧୩ତମ ଉପ-ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଭେଙ୍କେୟା ନାଇଡୁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇ ଥିଲେ। ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ଶପଥ ପାଠ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ। ଉପ-ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଆଜି ସକାଳେ ଭେଙ୍କେୟା ନାଇଡୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସାଧାରଣତଃ ଉପରାଷ୍ଟ୍ରପତି ପଦବୀ ପାଇଁ କୌଣସି ବେତନର ନିୟମ ନାହିଁ। କିନ୍ତୁ ଉପରାଷ୍ଟ୍ରପତି ରାଜ୍ୟସଭାର ମଧ୍ୟ ଅଧ୍ୟକ୍ଷ ହୋଇଥାନ୍ତି। ତେଣୁ ଏହି ପଦବୀ ପାଇଁ ଭେଙ୍କେୟା ନାଇଡୁଙ୍କୁ ପ୍ରତିମାସରେ ଦରମା ଆକାରରେ ୧ ଲକ୍ଷ ୨୫ ହଜାର ଟଙ୍କା ମିଳିବ। ଉପରାଷ୍ଟ୍ରପତିଙ୍କୁ ରହିବା ପାଇଁ ଏକ ବାସଭବନ ଦିଆଯାଏ। ଏହି ଘରଟି ୬, ମୋଲାନା ଆଜାଦ୍ ରୋଡ୍ରେ ରହିଛି। ଏହାବ୍ୟତୀତ ତାଙ୍କୁ ଯାତ୍ରା ଓ ଚିକିତ୍ସା ଖର୍ଚ୍ଚ ଦିଆଯାଏ।
ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତିଙ୍କ ଅଧିକାର ମିଳିଥାଏ। ଯଦି ଉପରାଷ୍ଟ୍ରପତି କୌଣସି ସ୍ଥିତିରେ ରାଷ୍ଟ୍ରପତିଙ୍କ କର୍ତ୍ତବ୍ୟ କରୁଛନ୍ତି, ତେବେ ରାଷ୍ଟ୍ରପତିଙ୍କୁ ଦିଆଯାଉଥିବା ବେତନ ଓ ବିଶେଷ ଅଧିକାର ମିଳିଥାଏ।
ଦେଶର ଉପରାଷ୍ଟ୍ରପତି ଯେବେ ଅବରସର ଗ୍ରହଣ କରିଥାନ୍ତି ତାଙ୍କୁ ପେନସନ୍ ରୂପରେ ତାଙ୍କ ଦରମାର ୫୦ ପ୍ରତିଶତ ମିଳିଥାଏ।
ଭେଙ୍କେୟାଙ୍କ ରାଜନୈତିକ କ୍ୟାରିୟର
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୧୯୪୯ ମସିହା ଜୁଲାଇ ୧ ତାରିଖରେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାରେ ହୋଇଥିଲା। ନେଲ୍ଲୋରରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ରାଜନୀତି ବିଜ୍ଞାନରେ ସେ ସ୍ନାତକ କରିଥିଲେ। ବିଶାଖାପାଟଣାମ୍ କଲେଜରେ ସେ ଅନ୍ତରାଷ୍ଟ୍ରୀୟ ଆଇନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପଢିବା ସମୟରେ ସେ ସ୍ୱଂୟ ସେବକ ସଂଘ ସହ ଜଡ଼ିତ ଥିଲେ।
ସୂଚନାଯୋଗ୍ୟ, ଭେଙ୍କେୟା ନାଇଡୁ ବିରୋଧୀ ଦଳ ପ୍ରାର୍ଥୀ ଗୋପାଳକଷ୍ଣ ଗାନ୍ଧିଙ୍କୁ ୨୭୨ ଟି ଭୋଟ୍ରେ ପରାସ୍ତ କରି ଉପ- ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ୫୧୬ ଟି ଭୋଟ୍ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ୨୪୪ଟି ଭୋଟ୍ ମିଳିଥିଲା। ଅଗଷ୍ଟ ୫ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହୋଇଥିଲା।
ଅଧିକ ଖବର- ନୂଆ ଉପରାଷ୍ଟ୍ରପତିଙ୍କ ଜୀବନଶୈଳୀ: ବର୍ଷକରେ ଥରେ ମନ୍ଦିର ଯାଆନ୍ତି, ଖୁବ୍ ଆମିଷ ପ୍ରିୟ