ଏକ ଦୟାଳୁ କାନ୍ଥର କାହାଣୀ: ଯେଉଁଠି ଗରିବଙ୍କ ପାଇଁ ଲୋକେ ଛାଡ଼ିଯାଆନ୍ତି ଦରକାରୀ ଜିନିଷ

ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନା ଭଲରେ ଗଣ୍ଡେ ଖାଇବାକୁ ପାଉଛନ୍ତି ନା ପିନ୍ଧିବାକୁ। ଏହିପରି ଲୋକଙ୍କ ପାଇଁ ସରକାର ତ ଅନେକ ଯୋଜନା କରୁଛନ୍ତି, କିନ୍ତୁ ସେତକ ଯଥେଷ୍ଟ ନୁହେଁ। ସେଥିପାଇଁ ଅନେକ ବେସରକାରୀ ସଂସ୍ଥା ଓ ବ୍ୟକ୍ତି ମଧ୍ୟ ଗରିବ ନିଃସହାୟ ଲୋକଙ୍କ ସହଯୋଗ ପାଇଁ ଆଗେଇ ଆସୁଛନ୍ତି। ବିଜ୍ଞ ଲୋକମାନେ ବିଚାର କରି ଜାଣିପାରିଛନ୍ତି ଯେ, ସୁଖରେ ଥିବା ଲୋକମାନେ ଯେତିକି ଖାଦ୍ୟ ବା ଜିନିଷପତ୍ର ନଷ୍ଟ କରୁଛନ୍ତି, […]

dress

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 06:50 PM IST

ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନା ଭଲରେ ଗଣ୍ଡେ ଖାଇବାକୁ ପାଉଛନ୍ତି ନା ପିନ୍ଧିବାକୁ। ଏହିପରି ଲୋକଙ୍କ ପାଇଁ ସରକାର ତ ଅନେକ ଯୋଜନା କରୁଛନ୍ତି, କିନ୍ତୁ ସେତକ ଯଥେଷ୍ଟ ନୁହେଁ। ସେଥିପାଇଁ ଅନେକ ବେସରକାରୀ ସଂସ୍ଥା ଓ ବ୍ୟକ୍ତି ମଧ୍ୟ ଗରିବ ନିଃସହାୟ ଲୋକଙ୍କ ସହଯୋଗ ପାଇଁ ଆଗେଇ ଆସୁଛନ୍ତି। ବିଜ୍ଞ ଲୋକମାନେ ବିଚାର କରି ଜାଣିପାରିଛନ୍ତି ଯେ, ସୁଖରେ ଥିବା ଲୋକମାନେ ଯେତିକି ଖାଦ୍ୟ ବା ଜିନିଷପତ୍ର ନଷ୍ଟ କରୁଛନ୍ତି, ସେତକ ଯଦି ସୁଷମ ଭାବେ ବଣ୍ଟାଯାଇ ପାରିବ ତେବେ ଆମ ଦେଶରେ ଆଉ ଗରିବ ରହିବେ ନାହିଁ।

ଏପରି ସ୍ଥିତିରେ ଗରିବ ଲୋକଙ୍କ ସାହାଯ୍ୟ ପାଇଁ ଏକ ବ୍ୟବସ୍ଥା ଆରମ୍ଭ କରିଛି ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ। କର୍ପୋରେସନ ତରଫରୁ ଆରମ୍ଭ କରାଯାଇଛି ଏକ ନିଆରା ଯୋଜନା। ଯାହାର ନାଁ ‘ୱାଲ୍ ଅଫ୍ କାଇଣ୍ଡନେସ୍’। ଏହି ଯୋଜନା ଦ୍ୱାରା ସ୍ୱଚ୍ଛଳ ଲୋକଙ୍କଠାରୁ ଦାନ ସଂଗ୍ରହ କରାଯାଉଛି। ତାହା ପୁଣି ଦାନୀମାନଙ୍କ ଇଚ୍ଛାରେ। ଦାନ ଗ୍ରହଣର ପ୍ରକ୍ରିୟାଟି ବି ନୂଆ ପ୍ରକାର। କର୍ପୋରେସନ ତରଫରୁ ସର୍ବସାଧାରଣ ଜାଗାରେ ଏକ ସ୍ଥାନ ନିରୂପଣ କରାଯାଇଛି। ଗରିବ ଲୋକଙ୍କ ପାଇଁ ଯଦି କେହି କିଛି ଦେବାକୁ ଚାହିଁବେ, ତେବେ ସେଠାକୁ ଯାଇ ସେମାନେ ତାହା ଦେଇପାରିବେ। ଯଦି ଆପଣ କିଛି ଡ୍ରେସ୍ କିମ୍ବା କୌଣସି ପୋଷାକପତ୍ର, କମ୍ବଳ ପ୍ରଭୃତି ଦେବାକୁ ଚାହୁଁଛନ୍ତି ତେବେ ସେଠାକୁ ଯାଇ ଆପଣ ତାହା ଝୁଲାଇ ଦେଇ ବା ରଖିଦେଇ ପଳେଇ ଆସିବେ। ସେହିପରି ଖାଦ୍ୟ ଦେବାକୁ ଚାହିଁଲେ ଆପଣ ତାହା ସେଠାରେ ରଖିଦେଇ ପଳେଇ ଆସିବେ। ସେହିପରି କୌଣସି ଗରିବ ବ୍ୟକ୍ତି ଆବଶ୍ୟକ କଲେ ସେଠାକୁ ଯାଇ ଖାଦ୍ୟ କିମ୍ବା ପୋଷାକପତ୍ର ଆଣିପାରିବେ।

ଭାରତ ପରି ମଧ୍ୟବିତ୍ତ ଓ ଗରିବ ଲୋକ ରହୁଥିବା ଦେଶ ପାଇଁ ଏହି ଯୋଜନା ଅତ୍ୟନ୍ତ ଆବଶ୍ୟକ। ଏବେ ରାଜସ୍ଥାନ, ଭୋପାଲ ଓ ଦିଲ୍ଲୀ ପରି ରାଜ୍ୟରେ ଏହି ଧରଣର ଯୋଜନା ଅଲଗା ଅଲଗା ନାଁରେ ଚାଲୁଛି। କିଛି ଜାଗାରେ ଏହି ଯୋଜନାର ନାଁ ରହିଛି ‘ନେକି କି ଦିୱାର’। ବହୁ ସଂଖ୍ୟାରେ ଗରିବ ଓ ଅସହାୟ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି।

Related story