ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଏକ ପ୍ରକାର ସ୍ପଷ୍ଟ। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ରାଜସ୍ଥାନର ୧୯୯ଟି ବିଧାନସଭା ଆସନରୁ କଂଗ୍ରେସ ୧୦୦ଟି ଓ ବିଜେପି ୭୫ଟି ଆସନରେ ଆଗୁଆ ରହିଛି। ଏଠାରେ ମ୍ୟାଜିକ ନମ୍ବର ୧୦୦ ଥିବା ବେଳେ କଂଗ୍ରେସ ଜିତିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି। ତେବେ କଂଗ୍ରେସ ଜିତିଲେ ମୁଖ୍ୟମନ୍ତ୍ରୀ କିଏ ହେବ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସଚିନ୍ ପାଇଲଟ୍ଙ୍କୁ କିଛି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଆଉ କିଛି ଅଶୋକ ଗେହଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସଚିନ୍ ପାଇଲଟ୍ ଟୋଙ୍କ ଆସନରୁ ଲଢ଼ୁଛନ୍ତି। ସେ ବିଜୟୀ ହେବା ଏକ ପ୍ରକାରର ନିଶ୍ଚିତ। ସେହିପରି ଗେହଲଟ୍ ସର୍ଦ୍ଦାରପୁର ଆସନରୁ ବିଜୟୀ ହେବା ସୁନିଶ୍ଚିତ। ଏପରି ସ୍ଥିତିରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।
ଗେହଲଟ୍ଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏହାର ନିଷ୍ପତ୍ତି କଂଗ୍ରେସ ହାଇ-କମାଣ୍ଡ ନେବେ ବୋଲି କହି ପ୍ରସଙ୍ଗରୁ ଏଡ଼ାଇ ଯାଇଛନ୍ତି। କିନ୍ତୁ ସଚିନ୍ ପାଇଲଟ୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରାଜସ୍ଥାନରେ ଶ୍ରୀ ଗେହଲଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ୧୯୯୮ରୁ ୨୦୦୩ ଓ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତେଣୁ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁପାରେ।
ସେହିପରି ରାଜସ୍ଥାନ ପିସିସି ସଭାପତି ଥିବା ସଚିନ୍ ପାଇଲଟ୍ ୧୫ତମ ଲୋକସଭାକୁ ଆଜମେର ଆସନରୁ ନିର୍ବାଚିତ ହୋଇଥିଲେ। ସେ ହିଁ ରାଜସ୍ଥାନରେ କଂଗ୍ରେସ ଦୁର୍ଗକୁ ସମ୍ଭାଳିଛନ୍ତି। ତେଣୁ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କଂଗ୍ରେସ ଯାହାକୁ ବି ମୁଖ୍ୟମନ୍ତ୍ରୀ କରିବ, ନିଶ୍ଚିତ ଗୋଷ୍ଠୀ କନ୍ଦଳ ଦେଖାଯିବ ବୋଲି ଏବେଠାରୁ ରାଜନୀତିକ ପଣ୍ଡିତମାନେ ମତ ଦେବା ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।