ନୂଆଦିଲ୍ଲୀ: ଭାରତୀୟଙ୍କ ସଫଳତାକୁ ଦେଖି ଈର୍ଷାରେ ଜଳୁଛି କି ଚୀନ୍? ନ ହେଲେ ଚୀନ୍ର ସରକାରୀ ଖବର କାଗଜ ‘ଗ୍ଲୋବାଲ ଟାଇମ୍ସ’ରେ ଏମିତି ଏକ ଖବର କାହିଁକି ପ୍ରକାଶିତ ହୋଇଛି? ଖବରଟି ହେଉଛି- କାହିଁକି ଆମେରିକାର ଅଧିକାଂଶ ବଡ଼ କଂପାନୀର ସର୍ବୋଚ୍ଚ ପଦବୀରେ ଭାରତୀୟମାନେ ନିଯୁକ୍ତି ପାଉଛନ୍ତି? ଚୀନ ଯେ ଏହାକୁ ନେଇ ଚିନ୍ତିତ, ତାହା ଏ ଖବରରୁ ସ୍ପଷ୍ଟ ହେଉଛି।
ଏହି ଖବରରେ ଲେଖାଯାଇଛି,“ଭାରତର ତାମିଲନାଡୁରେ ଜନ୍ମ ହୋଇଥିବା ସୁନ୍ଦର ପିଚାଇ ୨୦୧୫ ଅଗଷ୍ଟ ମାସରେ ଗୁଗଲର ସିଇଓ ଭାବେ ନିଯୁକ୍ତି ପାଇଥିଲେ। ତା’ପୂର୍ବରୁ ୨୦୧୪ରେ ତେଲେଙ୍ଗାନାରେ ଜନ୍ମ ହୋଇଥିବା ସତ୍ୟ ନାଦେଲା ମାଇକ୍ରୋସଫ୍ଟର ସିଇଓ ଭାବେ ନିଯୁକ୍ତି ପାଇଥିଲେ।”
ଏ ଦୁଇ ଜଣଙ୍କ ବ୍ୟତୀତ SanDisk, Adobe Systems, PepsiCo, Harman International Industries ଓ Cognizant ର ସିଇଓ ପଦରେ ବି ଭାରତୀୟ ବଂଶୋଦ୍ଭବମାନେ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ କୌଣସି ଚୀନ୍ ବଂଶୋଦ୍ଭବ ଆମେରିକାର କୌଣସି ବଡ଼ କଂପାନୀରେ ସିଇଓ ହୋଇପାରି ନାହାଁନ୍ତି।
ରିପୋର୍ଟରେ ଲେଖାଯାଇଛି ଯେ କାହିଁକି ଏତେ ଭାରତୀୟ ମଲ୍ଟିନ୍ୟାସ୍ନାଲ୍ କଂପାନୀର ସିଇଓ ହୋଇପାରିଛନ୍ତି? ବ୍ୟବସାୟ ସହିତ ଜଡ଼ିତ ଚୀନ୍ ବଂଶୋଦ୍ଭବମାନେ କାହିଁକି ପଛରେ ପଡ଼ି ଯାଉଛନ୍ତି?
ଏହାକୁ ନେଇ ଚୀନ୍ ଏତେ ଚିନ୍ତିତ ହେବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି। ତାହା ହେଉଛି- ପଶ୍ଚିମ ରାଷ୍ଟ୍ରରେ ଶିକ୍ଷାଲାଭ କରିବାରେ ଭାରତୀୟ ଯୁବକଯୁବତୀଙ୍କ ଅପେକ୍ଷା ଚୀନ ଯୁବକଯୁବତୀଙ୍କ ସଂଖ୍ୟା ଅଧିକ। ୨୦୧୬-୧୭ରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚୀନର ୩,୫୦,୭୫୫ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଅପରପକ୍ଷରେ ଏହି ସମୟରେ ମାତ୍ର ୧,୮୫,୦୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ମିଳିଥିଲା।
‘ଗ୍ଲୋବାଲ ଟାଇମ୍ସ’ରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଚୀନର ଲୋକମାନେ ଏମିତି ପଛରେ ପଡ଼ିଯିବା କେବଳ ସେମାନଙ୍କର ବ୍ୟକ୍ତିଗତ ପରାଜୟ ନୁହେଁ। ଏହାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖାଯିବା ଉଚିତ। ଭାରତର ସଫ୍ଟଓୟାର ଦକ୍ଷତା ବଢୁଛି। ଏହା ଦ୍ୱାରା ଭାରତର ଟେକ୍ନୋଲୋଜି ସେକ୍ଟର ପ୍ରତି ଆମେରିକୀୟ କଂପାନୀଗୁଡ଼ିକ ଅଧିକ ଆକର୍ଷିତ ହୋଇପାରନ୍ତି।
ଏହି ରିପୋର୍ଟରେ ଭାରତ ଓ ଚୀନ୍ର ବ୍ୟବସାୟ ଜଗତର ଲୋକଙ୍କ ସହିତ ବି ଆଲୋଚନା କରାଯାଇଛି। ଏଥିରେ ସେମାନେ କହିଛନ୍ତି ଯେ କାମ ଓ ଭାଷା ଶିଖିବାରେ ଭାରତୀୟମାନେ ଖୁବ୍ ପାରଙ୍ଗମ। ଏହା ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରାକୁ ଆପଣାଇବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷରେ ଆମେରିକାରେ ପଢୁଥିବା ଚୀନର ଯୁବକଯୁବତୀମାନେ ସ୍ୱଦେଶ ଲେଉଟି ଯାଇ ସେଠାରେ କାମ କରିବାକୁ ପସନ୍ଦ କରନ୍ତି।