ନୂଆଦିଲ୍ଲୀ: ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାୟର ହୋଇଥିଲା। ସୋମବାର ଏହାର ଶୁଣାଣି ହୋଇଛି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୋର୍ଟରେ ନିଜର ପକ୍ଷ ରଖିଛନ୍ତି। ସରକାର କହିଛନ୍ତି ଯେ ଆମର ଆଇନ ବ୍ୟବସ୍ଥା, ସମାଜ ଏବଂ ମୂଲ୍ୟବୋଧ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଉ ନାହିଁ।
ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ଏହି ପିଆଇଏଲର ଶୁଣାଣି କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା ସରକାରଙ୍କ ପକ୍ଷରୁ ମତ ରଖି କହିଛନ୍ତି ଯେ ଆମର ଆଇନ ବ୍ୟବସ୍ଥା, ଆମ ସମାଜ ଏବଂ ଆମର ମୂଲ୍ୟବୋଧ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଉ ନାହିଁ। ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୋର୍ଟ ଅନ୍ୟାନ୍ୟ ନିୟମ ପରିବର୍ତ୍ତନ କରିନାହାନ୍ତି ସେ ପର୍ଯ୍ୟନ୍ତ ସମଲିଙ୍ଗୀ ବିବାହରୁ ହିନ୍ଦୁ ବିବାହ ନିୟମରେ ଅନୁମତି ଦେବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ଏଲଜିବିଟି ସମ୍ପ୍ରଦାୟର ଚାରିଜଣ ସଦସ୍ୟ ଏହି ପିଆଇଏଲ କୋର୍ଟରେ ଦାୟର କରିଥିଲେ। ଏହି ପିଟିସନରେ କୁହାଯାଇଛି ଯେ ହିନ୍ଦୁ ବିବାହ ଆଇନରେ କୁହାଯାଇ ନାହିଁ ଯେ ବିବାହ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହେବା ଉଚିତ୍। ୨୦୧୮ ଠାରୁ ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ। କିନ୍ତୁ ତଥାପି ସମଲିଙ୍ଗୀ ବିବାହ କାହିଁକି ଅପରାଧ ବୋଲି ଆବେଦନପତ୍ରରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏଲଜିବିଟି ସମ୍ପ୍ରଦାୟକୁ ସ୍ୱୀକୃତି ଦିଆଯାଇଛି। ତେଣୁ ବିବାହକୁ ପ୍ରତ୍ୟାଖ୍ୟାନ କରିବା ସମ୍ବିଧାନର ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଆବେଦନକାରୀ ପିଟିସନରେ ଯୁକ୍ତି ଦର୍ଶାଇଥିଲେ।
ଜବାବରେ କୋର୍ଟ ସ୍ୱୀକାର କରିଛନ୍ତି ଯେ ବିଶ୍ୱରେ ଅନେକ ପରିବର୍ତ୍ତନ ହେଉଛି। କିନ୍ତୁ ସେହି ପରିବର୍ତ୍ତନଗୁଡିକ ଭାରତରେ ଗ୍ରହଣ କରାଯିବ କି ବିରୋଧୀ କରାଯିବ ତାହା ନୁହେଁ। ଯେଉଁମାନେ ସମଲିଙ୍ଗୀ ବିବାହ କରି ପ୍ରଭାବିତ ହୋଇଛନ୍ତି ସେମାନେ କାହିଁକି ଆସୁନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଯେଉଁଥିରେ ଆବେଦନକାରୀଙ୍କ ଓକିଲ ଅଭିଜିତ୍ ଆୟର ମିତ୍ର କହିଛନ୍ତି ଯେ ଲୋକମାନେ ଭୟ କରୁଛନ୍ତି ଯେ ଯଦି ସେମାନେ ଏହି ପ୍ରସଙ୍ଗରେ ଆଗକୁ ଆସନ୍ତି ତେବେ ସେମାନଙ୍କ ସହ ହିଂସା ହୋଇପାରେ। ଏହା ପରେ କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ ଯେଉଁମାନଙ୍କର ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇନାହିଁ ସେମାନଙ୍କ ତାଲିକା ଦାଖଲ କର। ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ରେ ହେବ ବୋଲି କହିଛନ୍ତି।
ସେପ୍ଟେମ୍ବର ୬, ୨୦୧୮ରେ ସମଲିଙ୍ଗୀ ସମ୍ପର୍କକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ କୁ ଖଣ୍ଡନ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସମାନ ଲିଙ୍ଗ ଦୁଇ ବୟସ୍କଙ୍କ ମଧ୍ୟରେ ସମ୍ପର୍କ ଅପରାଧ ବୋଲି ଧରାଯିବ ନାହିଁ । ତେବେ ସେହି ନିଷ୍ପତ୍ତିରେ ସମଲିଙ୍ଗୀ ବିବାହ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ତେଣୁ ସମଲିଙ୍ଗୀ ବିବାହ ଚାଲିଛି କିନ୍ତୁ ସେଗୁଡିକ ପଞ୍ଜୀକୃତ ହେଉନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।