ଆଲିଗଡ଼: ଉତ୍ତର ପ୍ରଦେଶର ତାପ୍ପାଲରେ ଅଢ଼େଇ ବର୍ଷର ଶିଶୁକୁ ହତ୍ୟା ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରିଛି ୟୁପି ପୁଲିସ। ମୁଖ୍ୟ ଅଭିଯୁକ୍ତ ଜାହିଦର ସ୍ତ୍ରୀ ମଧ୍ୟ ଏହି ହତ୍ୟାରେ ସାମିଲ ଥିବା ସନ୍ଦେହ କରି ପୁଲିସ ଗିରଫ କରିଛି। ହତ୍ୟାକାରୀ ଅଢ଼େଇ ବର୍ଷର ଝିଅର ତଣ୍ଟିକୁ ଯେଉଁ ଓଢଣୀରେ ଚାପି ହତ୍ୟା କରିଥିଲା ସେହି ଓଢ଼ଣୀ ହତ୍ୟାକାରୀର ସ୍ତ୍ରୀର ବୋଲି ପୁଲିସ ଜାଣିବାକୁ ପାଇଛି। ଏବେ ଏହି ହତ୍ୟା ଘଟଣାରେ ମୋଟ ଚାରି ଜଣ ଗିରଫ ହୋଇଛନ୍ତି ବୋଲି କହିଛନ୍ତି ଆଲିଗଡ ଏସପି।
ଏହି ଘଟଣାର ତଦନ୍ତ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ଏଥିସହିତ କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ଗତକାଲି ନିଲମ୍ବିତ କରାଯାଇଛି।
ଆଲିଗଡ଼ ଠାରୁ ୫୦ କିମି ଦୂର ତପ୍ପାଲ ଅଞ୍ଚଳରୁ ଜୁନ୍ ୨ରେ ଏକ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା। ଝିଅଟିକୁ ତଣ୍ଟିଚିପି ହତ୍ୟା କରାଯିବା ପରେ ତା’ର ଆଖିକୁ ଦୁର୍ବୃତ୍ତ ମାନେ ତାଡ଼ି ନେଇଥିଲେ ବୋଲି ଜଣାପଡ଼ିଥିଲା। ଏଭଳି ନୃଶଂସ କାଣ୍ଡକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେବା ପରେ ସାମାଜିକ ସଂଗଠନ, ରାଜନୀତିକ ଦଳ ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।
ଶିଶୁ କନ୍ୟାଟି ମେ’ ୩୧ରୁ ନିଖୋଜ ହୋଇଥିଲା। ଝିଅ ନିଖୋଜ ହେବା ନେଇ ଥାନାରେ ଏତଲା ଦିଆଯିବା ପରେ ବି ପୁଲିସ ଘଟଣାର ତଦନ୍ତ କରିନଥିବା ଜଣାପଡ଼ିଥିଲା। ଏହା ପରେ ଆଲିଗଡ଼ ଏସ୍ପି ଆକାଶ କୁଲାହାରି ଜଣେ ଇନ୍ସପେକ୍ଟର, ୩ ଜଣ ସବ୍-ଇନ୍ସପେକ୍ଟର ଓ ଜଣେ କନଷ୍ଟେବଲଙ୍କୁ ନିଲମ୍ବନ କରିଥିଲେ। ହତ୍ୟାର ଶିକାର ହୋଇଥିବା ଶିଶୁକନ୍ୟାର ବାପା ୫୦ ହଜାର ଟଙ୍କା ଜାହିଦ ପାଖରୁ ଧାର ନେଇଥିଲେ। ୪୦ ହଜାର ଟଙ୍କା ପରିଶୋଧ କରିଥିବା ବେଳେ ବାକି ୧୦ ହଜାର ଟଙ୍କା ଦିନେ ଦୁଇ ଦିନ ମଧ୍ୟରେ ଶୁଝିବେ ବୋଲି କହିଥିଲେ। ହେଲେ ସେଥିରେ ବିଳମ୍ୱ ହେବାରୁ କରଜଦାତା ଜାହିଦ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି।