ନାସିକ୍: ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଏନେଇ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ। ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ଏକ ନିର୍ବାଚନୀ ସଭାରେ ସେ ନିଜ ସରକାରର ସଫଳତା ବଖାଣିବାକୁ ଯାଇ କଶ୍ମୀର କିଭଳି ନୂଆ ସ୍ୱର୍ଗରେ ପରିଣତ କରିବାକୁ ସଂକଳ୍ପବଦ୍ଧ ତାହା ବର୍ଣ୍ଣନା କରିଛନ୍ତି। ସେ ଏହି ଅବସରରେ ପ୍ରତ୍ୟେକ କଶ୍ମିରୀଙ୍କୁ ଆଲିଙ୍ଗନ କରିବା ସହ ଏହାକୁ ନୂଆ ସ୍ୱର୍ଗରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି।
ମୋଦି ଆଜି କହିଛନ୍ତି, ଧାରା ୩୭୦ ହଟାଇବାର ନିଷ୍ପତ୍ତି ଭାରତର ଏକତା ପାଇଁ ନିଆଯାଇଥିବା ଏକ ନିଷ୍ପତ୍ତି। ଏହା ଜମ୍ମୁ-କଶ୍ମୀର ଲୋକଙ୍କର ଆଶା ଓ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସୀମା ସେପଟୁ କଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବା, ଭୁଲ ତଥ୍ୟର ପ୍ରଚାର ପାଇଁ ଏବଂ ହିଂସା ସୃଷ୍ଟିର ଅପପ୍ରୟାସ ଚାଲିଛି। ମୋଦି ଆହୁରି କହିଛନ୍ତି ଜମ୍ମୁ-କଶ୍ମୀରରେ ଯୁବକ, ମା ଏବଂ ଭଉଣୀମାନେ ସ୍ଥିର କରିସାରିଛନ୍ତି, ସେମାନେ ବହୁଦିନର ହିଂସାରୁ ବାହାରି ଆସିବେ। ସେମାନେ ବିକାଶ ଏବଂ ନୂଆ ନିଯୁକ୍ତି ସୁଯୋଗ ଚାହାନ୍ତି।
ମୋଦି କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଇଥିଲୁ ଆମେ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିଭିନ୍ନ ସମସ୍ୟା ଦୂର କରିବୁ। ଆଜି ମୁଁ ଗର୍ବର ସହିତ କହୁଛି ଦେଶ ବର୍ତ୍ତମାନ ସେହି ସବୁ ସ୍ୱପ୍ନ ପୂରଣ ଦିଗରେ ଆଗେଇ ଚାଲିଛି। ସେ କହିଥିଲେ, ଜମ୍ମୁ-କଶ୍ମୀରରେ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ଲାଗୁ କରିବା କେବଳ ସରକାରଙ୍କର ନୁହେଁ ଦେଶର ୧୩୦ କୋଟି ଜନସାଧାରଣଙ୍କର ନିଷ୍ପତ୍ତି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।