ଶ୍ରୀନଗର: ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ଫାଇଦା ଦେଇ ଆସୁଥିବା ୩୭୦ ଧାରାର ଉଚ୍ଛେଦ ସମୟରେ ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତି ଏକ ନୂଆ ବିପଦ ଭାବେ ଉଭା ହୋଇଛି। ଏହାର ପ୍ରଭାବ ସିଧାସଳଖ ଜମ୍ମୁକଶ୍ମୀର ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବରରେ ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ। ତେବେ ଏଠାରେ ଦବ୍ଦବା ଦେଖାଇ ଆସୁଥିବା ତାଲିବାନ୍ ଆତଙ୍କବାଦୀ ଗୋଷ୍ଠୀ ଚାହୁଁନାହାନ୍ତି ଏଠାରେ ଏକ ନିର୍ବାଚିତ ସରକାର ରହୁ। ତେଣୁ ତାଲିବାନ ଏହି ନିର୍ବାଚନକୁ ବୟକଟ୍ କରୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆମେରିକା କିନ୍ତୁ ତାଲିବାନ ସହ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିସାରିଛି। କତାର୍ର ଦୋହାଠାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ବୁଝାମଣା ହୋଇଛି ଯେ ଆମେରିକା ଆଫଗାନିସ୍ତାନର ନିଜର ସେନାଙ୍କୁ ପ୍ରତ୍ୟାହାର କରିବ। ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନ ଏଥିରେ ମଧ୍ୟସ୍ଥି ବା ଦଲାଲ ସାଜିଛି।
ଆଫଗାନିସ୍ତାନରେ ଗତ କିଛି ମାସ ମଧ୍ୟରେ ତାଲିବାନ ଅଧିକ ଶକ୍ତିଶାଳୀ ହେବାକୁ ଆରମ୍ଭ କରିଛି। ଆମେରିକା ଏବଂ ତାଲିବାନ ମଧ୍ୟରେ ଚୁକ୍ତି ହେଲେ ଆତଙ୍କବାଦୀ ସଂଗଠନଙ୍କୁ ସିଧାସଳଖ ବା ଆଇଏସ୍ଆଇ ଜରିଆରେ ଆମେରିକାରୁ ପ୍ରଚୁର ଅର୍ଥ ବା ଫଣ୍ଡ ଆସିବ। ଅନ୍ୟପକ୍ଷରେ ଅସ୍ତ୍ରବିରତି କାରଣରୁ ଆତଙ୍କବାଦୀମାନେ ଅନ୍ୟ ବାଟ ଖୋଜିବେ। ସେତେବେଳେ ତାଲିବାନ ବ୍ୟତୀତ ପାକିସ୍ତାନ ନିୟନ୍ତ୍ରିତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଆତଙ୍କୀମାନେ ଜମ୍ମୁକଶ୍ମୀର ମୁହାଁ ହେବେ। ଗତ ଜୁଲାଇ ମାସରେ ଏମାନ୍ ଅଲ୍ ଜୱାହିରି ରିଲିଜ୍ କରିଥିବା ଭିଡିଓରେ ମଧ୍ୟ ଅଲ କାଏଦା ମୁଖ୍ୟ ଜମ୍ମୁକଶ୍ମୀରର ନାମ ନେବା ଏହି ଯୋଜନା ଚାଲିଥିବାର ବଳିଷ୍ଠ ପ୍ରମାଣ। ସବୁ ଦିଗରୁ ଚିନ୍ତା କଲେ ସ୍ପଷ୍ଟ ସୂଚନା ମିଳୁଛି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାର ଯୋଜନା ଆରମ୍ଭ କରିସାରିଛି। ତେଣୁ ଭାରତକୁ ସୀମା ନିକଟରେ ଜିହାଦ୍ ଫ୍ୟାକ୍ଟ୍ରି ଉପରେ ନଜର ରଖିବାର ସମୟ ଆସିଛି।