ଏଣିକି ସପ୍ତାହକୁ ୪୦ ଘଣ୍ଟା କାମ କରିବେ କର୍ମଚାରୀ, ଆସିବ ବିଲ୍‌

ସାଣ୍ଟିଆଗୋ(ଚିଲି): ଦୈନିକ ଆଉ ଅଧିକ ସମୟ କାମ କରିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର କର୍ମଚାରୀମାନେ ସପ୍ତାହକୁ ୪୦ ଘଣ୍ଟା କାମ କରିବେ। କର୍ମଚାରୀଙ୍କ ଦୈନିକ କାମର ଚାପ ହ୍ରାସ କରିବା ପାଇଁ ଚିଲି ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ। ଏନେଇ ନିଜେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ବୋରିକ ନିର୍ବାଚନ ବେଳେ ମଧ୍ୟ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ବିଲ୍‌ […]

chile

  • Published: Wednesday, 24 August 2022
  • , Updated: 24 August 2022, 12:51 PM IST

ସାଣ୍ଟିଆଗୋ(ଚିଲି): ଦୈନିକ ଆଉ ଅଧିକ ସମୟ କାମ କରିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର କର୍ମଚାରୀମାନେ ସପ୍ତାହକୁ ୪୦ ଘଣ୍ଟା କାମ କରିବେ। କର୍ମଚାରୀଙ୍କ ଦୈନିକ କାମର ଚାପ ହ୍ରାସ କରିବା ପାଇଁ ଚିଲି ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ। ଏନେଇ ନିଜେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ବୋରିକ ନିର୍ବାଚନ ବେଳେ ମଧ୍ୟ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ବିଲ୍‌ ଆସିବ ବୋଲି କହିଛନ୍ତି।

ଚିଲି ସରକାର ଆଣିବାକୁ ଥିବା ବିଲରେ ସାପ୍ତାହିକ କାର୍ଯ୍ୟ ସମୟରୁ ୪୫ ଘଣ୍ଟାରୁ ହ୍ରାସ କରି ୪୦ ଘଣ୍ଟା କରାଯିବ। ପ୍ରଥମେ ଏହା ୨୦୧୭ରେ ତତ୍କାଳୀନ ସାଂସଦ ତଥା ବର୍ତ୍ତମାନର ସରକାରୀ ମୁଖପାତ୍ର କାମିଲା ଭାଲ୍ଲେଜୋ ଗୃହରେ ଉପସ୍ଥାପନ କରିଥିଲେ। କିନ୍ତୁ ଏହା ଗୃହରେ ପାରିତ ହୋଇ ପାରି ନଥିଲା। ଏବେ ଏହାକୁ ପୁଣିଥରେ ଗୃହରେ ବିତର୍କ ପାଇଁ ଉପସ୍ଥାପନ କରାଯିବ।

ଚିଲିର ସାମ୍ବିଧାନିକ ନିୟମ ଅନୁଯାୟୀ, ରାଷ୍ଟ୍ରପତି ଯଦି କୌଣସି ବିଲ୍‌ ଉପରେ ବିଚାର କରିବାକୁ କହିବେ, ତା’ହେଲେ ଏହା ଉପରେ ବିତର୍କ କରିବାକୁ ସାଂସଦମାନେ ବାଧ୍ୟ। ତେଣୁ ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବାକୁ ରାଷ୍ଟ୍ରପତି ବୋରିକ କହିଥିବାରୁ, ଏ ସମ୍ପର୍କରେ ବିଲ୍‌ ଗୃହରେ ଉପସ୍ଥାପନ କରାଯିବ।

ବୋରିକ ସରକାର ବିଲ୍‌ରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ସାଂସଦମାନେ ବିତର୍କ କରିବେ। ବିଶେଷ କରି ସ୍ୱତନ୍ତ୍ର ବର୍ଗରେ ଥିବା କର୍ମଚାରୀ ଯଥା ସାଧାରଣ ପରିବହନ ସେବା ସହ ଜଡ଼ିତ ଡ୍ରାଇଭର୍ସ ଓ ଘରୋଇ ସହାୟକମାନଙ୍କ କାର୍ଯ୍ୟ ସମୟ ହ୍ରାସ କରିବା ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବୋରିକ କହିଛନ୍ତି, ଏହି ପରିବର୍ତ୍ତନ ଆମକୁ ନୂଆ ଚିଲି ଗଠନ କରିବା ଦିଗରେ ଆଗକୁ ନେବ। ସରକାର ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବା ପାଇଁ ଆଣିବାକୁ ଥିବା ବିଲ୍‌ ଉପରେ ଉଭୟ ଗୃହର ମୋହର ବାଜିବ ବୋଲି ସେ ଆଶା ରଖିଛନ୍ତି।

ଚିଲି ହେଉଛି ବିଶ୍ୱର ସର୍ବବୃହତ୍ତ କପର ଉତ୍ପାଦନକାରୀ ଦେଶ। ହେଲେ ମହାମାରୀ କରୋନା ଯୋଗୁ ଦେଶର ଅର୍ଥନୀତି ଧିମେଇ ଯାଇଛି। ସେହିପରି ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଏହି ସମୟରେ ସରକାର ସାପ୍ତାହିକ କାର୍ଯ୍ୟ ସମୟ ହ୍ରାସ କରିବା ପାଇଁ ବିଲ୍‌ ଆଣିବାକୁ ଯାଉଛନ୍ତି। ଏ ସମ୍ପର୍କରେ ବିଭିନ୍ନ ୟୁନିୟନ, ମହାସଂଘ, କ୍ଷୁତ୍ର, ମଧ୍ୟମ ଓ ବଡ଼ କମ୍ପାନୀର ପ୍ରତିନିଧିମାନଙ୍କ ସହ ମଧ୍ୟ ସରକାର ଆଲୋଚନା କରିଥିବା ଜଣାପଡ଼ିଛି।

Related story