ଚିକାଗୋ: ପୁଣିଥରେ ମହାମାରୀ କରୋନାର ଭୟଙ୍କର ରୂପ ଦେଖିବ ଚାଇନା। ସଂକ୍ରମଣ ବ୍ୟାପୁଥିବାରୁ ଚାଇନାରେ ଏକାଧିକ କଟକଣା ଲାଗିଥିଲା। କିନ୍ତୁ ଦୀର୍ଘଦିନ ଧରି ଲୋକମାନେ କଠୋର କଟକଣା ମଧ୍ୟରେ ଆଉଟପାଉଟ ହେବାରୁ ପ୍ରତିବାଦ କରିଥିଲେ।
ଲୋକଙ୍କ ଆକ୍ରୋଶ ଦେଖି ଚାଇନା ସରକାର ମଧ୍ୟ କଟକଣା ଉଠାଇ ଦେଇଛନ୍ତି। ହେଲେ ସଂକ୍ରମଣ ବଢ଼ୁଥିବା ବେଳେ ହଠାତ କଟକଣା ହଟାଇବା ଚାଇନା ସରକାରଙ୍କୁ ମହଙ୍ଗା ପଡ଼ିବ। କଟକଣା କୋହଳ ହୋଇଥିବାରୁ ଚାଇନାରେ କରୋନା ୨୦୨୩ରେ ବିସ୍ଫୋରଣ କରିବ। ଏଥିସହ ୧୦ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବେ ଓ କୋଟିକୋଟି ଲୋକ ଆକ୍ରାନ୍ତ ହେବେ। ଏପରି ଆତଙ୍କିତ କରିବା ଭଳି ରିପୋର୍ଟ ଦେଇଛି ଆମେରିକାର ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ ବା ଆଇଏଚଏମଇ।
ଆଇଏଚଏମଇ ତା’ର ନୂଆ ଅଧ୍ୟୟନରୁ ଆକଳନ କରିଛି ଯେ ମହାମାରୀ କରୋନା ପୁଣିଥରେ ଏପ୍ରିଲ ୧ ସୁଦ୍ଧା ଚାଇନାରେ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଏହି ସମୟ ଦେଶର ଦୈନିକ ମୃତ୍ୟୁସଂଖ୍ୟା ୩,୨୨,୦୦୦ରେ ପହଞ୍ଚି ଯିବ। ସେହିପରି ୨୦୨୩ରେ କରୋନା ଯୋଗୁ ଚାଇନାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇବେ।
ସଂସ୍ଥାର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି, “କରୋନା ଏପ୍ରିଲ ୧ ସୁଦ୍ଧା ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ବେଳକୁ ଚାଇନାର ଏକ ଏକ ତୃତୀୟାଂଶ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିବେ।”
କରୋନା ପ୍ରତିବନ୍ଧକ ହଟାଯିବା ପରଠାରୁ ଚାଇନାର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବିଧିବଦ୍ଧ ଭାବେ କୌଣସି କରୋନା ଜନିତ ମୃତ୍ୟୁସଂଖ୍ୟା ଜାରି କରିନାହିଁ। ସରକାରଙ୍କ ତଥ୍ୟ ଅନୁଯାୟୀ, ଚାଇନାରେ କରୋନା ଜନିତ ମୃତ୍ୟୁ ଶେଷଥର ପାଇଁ ଡିସେମ୍ବର ୩ରେ ହୋଇଥିଲା।
ଏହାପରେ ଅନେକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିଲେ ମଧ୍ୟ ଚାଇନା ସରକାର ଏହାର ତଥ୍ୟ ସାର୍ବଜନୀନ କରିନାହାନ୍ତି। ସେହିପରି ସରକାର କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ଏଯାଏ ଦେଶରେ କେବଳ ୫,୨୩୫ ଜଣଙ୍କ ଜୀବନ ଯାଇଛି।
ଡିସେମ୍ବରରେ ଚାଇନା ସରକାର ଲୋକଙ୍କ ଆକ୍ରୋଶକୁ ଦେଖି ଦେଶରେ ଲାଗୁ କରିଥିବା କଠୋର କଟକଣା ହଠାଇ ଦେଇଥିଲେ। କଟକଣା ହଟିବା ପରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆସନ୍ତା ମାସର ଲୁନାର ନୂଆ ବର୍ଷ ଛୁଟି ବେଳକୁ କରୋନା ଆହୁରି ଦ୍ରୁତଗତିରେ ବ୍ୟାପି ସାରିଥିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମୁରେ କହିଛନ୍ତି ଯେ “ଜିରୋ କୋଭିଡ ନୀତି ଏତେ ଦିନ ପର୍ଯ୍ୟନ୍ତ ଜାରି ରଖାଯିବ ବୋଲି କେହି ଭାବି ନଥିଲେ। ଚାଇନାର ଶୂନ କୋଭିଡ୍ ନୀତି ଭାଇରସର ପୂର୍ବ ପ୍ରଭାବକୁ ହ୍ରାସ କରିଥାଇ ପାରେ। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟର କ୍ଷୀପ୍ର ସଂକ୍ରମଣକୁ ଏହା ଅଟକାଇ ପାରିବ ନାହିଁ। ଚାଇନା ସରକାର ମୃତ୍ୟୁ ତଥ୍ୟ ଦେଉନାହାନ୍ତି। ହେଲେ ଅନେକ ଲୋକ ଏବେ ବି କରୋନା ଯୋଗୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଆମକୁ ଚାଇନାର ମୃତ୍ୟୁହାରକୁ ଆକଳନ କରିବା ପାଇଁ ହଂକଂ ସ୍ଥିତିକୁ ଆକଳନ କରିବାକୁ ପଡ଼ିବ।”