ନକଲି ପାସ୍ ବିକ୍ରି ପାଇଁ ୯୦ ଥର ଟିକା ନେଲେଣି ଏହି ବ୍ୟକ୍ତି

ବର୍ଲିନ: ମହାମାରୀ କରୋନା ଟିକାକୁ ନେଇ ଖେଳ। ଥରେ ନୁହେଁ କି ଦୁଇ ଥର ନୁହେଁ ଜଣେ ବ୍ୟକ୍ତି ୯୦ ଡୋଜ୍‌ କରୋନା ଟିକା ନେଇଛନ୍ତି। ଟିକା ନେବାକୁ ଚାହୁଁ ନଥିବା ଲୋକଙ୍କୁ ସେ ନକଲି ଟିକାକରଣ ପ୍ରମାଣପତ୍ର ବିକ୍ରି କରିବା ପାଇଁ ଏପରି କାଣ୍ଡ ଘଟାଇଛନ୍ତି। ବ୍ୟକ୍ତି ଜଣଙ୍କ ନିଜେ ବିଭିନ୍ନ ଲୋକଙ୍କ ନାଁରେ ବାରମ୍ବାର ଟିକା ନେଉଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ମୋଟ ଅଙ୍କର ଅର୍ଥ ଆଦାୟ କରି ନକଲି ଟିକାକରଣ ପ୍ରମାଣପତ୍ର […]

corona

Hemant Lenka
  • Published: Thursday, 07 April 2022
  • , Updated: 07 April 2022, 10:02 AM IST

ବର୍ଲିନ: ମହାମାରୀ କରୋନା ଟିକାକୁ ନେଇ ଖେଳ। ଥରେ ନୁହେଁ କି ଦୁଇ ଥର ନୁହେଁ ଜଣେ ବ୍ୟକ୍ତି ୯୦ ଡୋଜ୍‌ କରୋନା ଟିକା ନେଇଛନ୍ତି। ଟିକା ନେବାକୁ ଚାହୁଁ ନଥିବା ଲୋକଙ୍କୁ ସେ ନକଲି ଟିକାକରଣ ପ୍ରମାଣପତ୍ର ବିକ୍ରି କରିବା ପାଇଁ ଏପରି କାଣ୍ଡ ଘଟାଇଛନ୍ତି। ବ୍ୟକ୍ତି ଜଣଙ୍କ ନିଜେ ବିଭିନ୍ନ ଲୋକଙ୍କ ନାଁରେ ବାରମ୍ବାର ଟିକା ନେଉଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ମୋଟ ଅଙ୍କର ଅର୍ଥ ଆଦାୟ କରି ନକଲି ଟିକାକରଣ ପ୍ରମାଣପତ୍ର ଦେଉଥିଲେ। ଜର୍ମାନୀରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛି।

ଜର୍ମାନୀର ନିୟମ ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତିଙ୍କ ନାଁ ସାର୍ବଜନୀନ କରାଯାଇନି। କିନ୍ତୁ ତାଙ୍କୁ ୬୦ ବର୍ଷ ଓ ସେ ଜର୍ମାନୀର ପୂର୍ବପ୍ରାନ୍ତରେ ଥିବା ମାଗଡେବର୍ଗ ଅଞ୍ଚଳରେ ରୁହନ୍ତି ବୋଲି ଜଣାପଡ଼ିଛି। ସେ ମାସାଧିକ କାଳ ସାକ୍ସୋନୀରେ ଥିବା ବିଭିନ୍ନ ଟିକାକରଣ କେନ୍ଦ୍ରରେ ୯୦ ଡୋଜ୍‌ ଟିକା ନେଇଛନ୍ତି।

ଚଳିତ ମାସରେ ତାଙ୍କୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ବ୍ୟକ୍ତି ଜଣଙ୍କ ଟିକା ନେବାକୁ ଗୋଟିଏ କେନ୍ଦ୍ରକୁ ଯାଇଥିଲେ। ଏଠାରେ ସେ ଟିକା ନେବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଧରିଥିଲା। କାରଣ ଗୋଟିଏ ଦିନ ପୂର୍ବରୁ ସେ ଟିକା ନେବାକୁ ଏଠାକୁ ଆସିଥିଲେ। କ୍ରମାଗତ ଦ୍ୱିତୀୟ ଥର ସେ ଟିକା ନେବାକୁ ଆସିଥିବାରୁ କେନ୍ଦ୍ରର କର୍ମଚାରୀ ସନ୍ଦେହ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କ ଠାରୁ ଏକାଧିକ ଖାଲି ଟିକାକରଣ କାର୍ଡ ଜବତ କରିଛି।

ଏବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତି ଜଣଙ୍କ ବିଭିନ୍ନ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକାର ୯୦ଟି ଡୋଜ୍‌ ନେଇଛନ୍ତି। ଏହା ତାଙ୍କ ଶରୀର ଉପରେ କେଉଁ ପ୍ରକାରର ପ୍ରଭାବ ପକାଇଛି, ସେକଥା ଜଣାପଡ଼ିନି।

ଜର୍ମାନୀରେ ଅନେକ ଲୋକ ଟିକା ନେବାକୁ ଆଗ୍ରହ ଦେଖାନାହାନ୍ତି। ତେବେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଟିକା ଜରୁରୀ ହୋଇଥିବାରୁ ସେମାନେ ନକଲି ପ୍ରମାଣପତ୍ର ଯୋଗାଡ଼ କରୁଛନ୍ତି। ନିକଟରେ ଜର୍ମାନ ପୁଲିସ୍‌ ନକଲି ଟିକା ପ୍ରମାଣପତ୍ର ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ସେହିପରି ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।

Related story