ସଂସଦରେ ଆଗତ ହେଲା ଇମ୍ରାନ ଖାନ ବିରୋଧୀ ଅନାସ୍ଥା ପ୍ରସ୍ତାବ, ଏବେ ଭୋଟକୁ ଅପେକ୍ଷା

ଇସଲାମାବାଦ: ବଢ଼ିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ। ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଶେଷରେ ଆଜି ପାକିସ୍ତାନର ଜାତୀୟ ସଂସଦରେ ଉପସ୍ଥାପିତ ହୋଇଛି। ଏବେ ଏହି ପ୍ରସ୍ତାବ ଉପରେ ୩୧ ତାରିଖରୁ ବିତର୍କ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗୃହରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରି ବିରୋଧୀ ଦଳ ନେତା ଶାହାବାଜ ଶରିଫ କହିଛନ୍ତି, “ମୁଁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଗତ କରୁଛି।” ଇମ୍ରାନ […]

Imran-Khan

Hemant Lenka
  • Published: Monday, 28 March 2022
  • , Updated: 28 March 2022, 07:49 PM IST

ଇସଲାମାବାଦ: ବଢ଼ିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ। ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଶେଷରେ ଆଜି ପାକିସ୍ତାନର ଜାତୀୟ ସଂସଦରେ ଉପସ୍ଥାପିତ ହୋଇଛି। ଏବେ ଏହି ପ୍ରସ୍ତାବ ଉପରେ ୩୧ ତାରିଖରୁ ବିତର୍କ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଗୃହରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରି ବିରୋଧୀ ଦଳ ନେତା ଶାହାବାଜ ଶରିଫ କହିଛନ୍ତି, “ମୁଁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଗତ କରୁଛି।” ଇମ୍ରାନ ଖାନଙ୍କ ବିରୋଧରେ ଆଗତ ପ୍ରସ୍ତାବ ସପକ୍ଷରେ ସଂସଦର ୧୬୧ ଜଣ ସଦସ୍ୟ ଭୋଟ ଦେଇଛନ୍ତି। ଏବେ ସଂସଦର ଆଗାମୀ ଅଧିବେଶନ ୩୧ ତାରିଖ ଭାରତୀୟ ସମୟ ୪.୩୦ରୁ ଆରମ୍ଭ ହେବ। ଏହି ସମୟରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ। ବିତର୍କ ଶେଷ ହେବା ପରେ ଏହା ଉପରେ ଭୋଟ ଗ୍ରହଣ କରାଯିବ।

ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନ ଓ ତାଙ୍କ ସରକାର ଫେଲ ମାରିଥିବାରୁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ୧୦୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି।

ଏହି ପ୍ରସ୍ତାବକୁ ସଂସଦୀୟ ସଚିବଙ୍କ ନିକଟରେ ଦାଖଲ କରାଯାଇଥିଲା। ମାର୍ଚ୍ଚ ୮ରେ ବିରୋଧୀ ସଂସଦର ବାଚସ୍ପତିଙ୍କୁ ଭେଟି ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। ନିୟମ ଅନୁସାରେ, କୌଣିସ ପ୍ରସ୍ତାବ ସପକ୍ଷରେ ଯଦି ୬୮ ଜଣ ସାଂସଦଙ୍କ ଦସ୍ତଖତ ରହୁଛି, ତା’ହେଲେ ବାଚସ୍ପତି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଧ୍ୟ। ସେହିପରି ପ୍ରସ୍ତାବ ଦେବାର ୩ରୁ ୭ ଦିନ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ମଧ୍ୟ ହେବା କଥା। ହେଲେ ଇମ୍ରାନ ଖାନ ସରକାର ଏହାକୁ ଘୁଞ୍ଚାଇ ଚାଲିଥିଲେ। ଏବେ ଶେଷରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।

ଇମ୍ରାନ ଖାନ ଓ ତାଙ୍କ କ୍ୟାବିନେଟକୁ ହଟାଇବାକୁ ହେଲେ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ଇମ୍ରାନ ଖାନ ମେଣ୍ଟ ସରକାରର ନେତୃତ୍ୱ ନେଉଛନ୍ତି। ଇମ୍ରାନ ଖାନଙ୍କ ପିଟିଆଇ ଦଳର ୧୫୫ ଜଣ ସାଂସଦ ଥିବା ବେଳେ ବାକି ଛୋଟ ଛୋଟ ଦଳର ସଦସ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି।

ତେଣୁ ତାଙ୍କୁ ସମର୍ଥନ କରୁଥିବା ଦଳର କିଛି ସଦସ୍ୟ ଯଦି ଅନାସ୍ଥା ସପକ୍ଷରେ ଭୋଟ ଦିଅନ୍ତି, ତା’ହେଲେ ଇମ୍ରାନ ଖାନଙ୍କ ପଦ ଚାଲିଯିବାର ଆଶଙ୍କା ରହିଛି। ଏବୁ ସତ୍ତ୍ୱେ ରବିବାର ଇମ୍ରାନ ଖାନ ଇସଲାମାବାଦରେ ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।

Related story