କର୍ଣ୍ଣେଲଙ୍କୁ ହତ୍ୟା କଲେ ନିଜ ଦେଶର ଯବାନ, ପୁଣି ଜଣେ ଜେନେରାଲଙ୍କ ମୃତ୍ୟୁ

କିଭ୍‌: ୟୁକ୍ରେନ ଉପରେ ହମଲା ଜାରି ରଖିଥିବା ରୁଷକୁ ପୁଣିଥରେ ଡବଲ ଝଟକା ଲାଗିଛି। ରୁଷର ଜଣ ଟପ୍‌ କମାଣ୍ଡରଙ୍କୁ ତାଙ୍କରି ଦେଶର ମର୍ମାହତ ଯବାନମାନେ ହତ୍ୟା କରିଛନ୍ତି। ସେହିପରି ଜଣେ ରୁଷ ଜେନେରାଲ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବେଳେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇତି ମଧ୍ୟରେ ରୁଷର ୭ ଜଣ ଜେନେରାଲ ପ୍ରାଣ ହରାଇ ସାରିଲେଣି। ୭ମ ଜେନେରାଲ ଭାବେ ଲେଫ୍ଟନାଣ୍ଟ ଜେନେରାଲ […]

Russia

Hemant Lenka
  • Published: Sunday, 27 March 2022
  • , Updated: 27 March 2022, 04:22 PM IST

କିଭ୍‌: ୟୁକ୍ରେନ ଉପରେ ହମଲା ଜାରି ରଖିଥିବା ରୁଷକୁ ପୁଣିଥରେ ଡବଲ ଝଟକା ଲାଗିଛି। ରୁଷର ଜଣ ଟପ୍‌ କମାଣ୍ଡରଙ୍କୁ ତାଙ୍କରି ଦେଶର ମର୍ମାହତ ଯବାନମାନେ ହତ୍ୟା କରିଛନ୍ତି। ସେହିପରି ଜଣେ ରୁଷ ଜେନେରାଲ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବେଳେ ପ୍ରାଣ ହରାଇଛନ୍ତି।

ୱେଷ୍ଟର୍ଣ୍ଣ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇତି ମଧ୍ୟରେ ରୁଷର ୭ ଜଣ ଜେନେରାଲ ପ୍ରାଣ ହରାଇ ସାରିଲେଣି। ୭ମ ଜେନେରାଲ ଭାବେ ଲେଫ୍ଟନାଣ୍ଟ ଜେନେରାଲ ୟାକୋଭ ରେଜାନଷ୍ଟେଭ ପ୍ରାଣ ହରାଇଛନ୍ତି। ସେ ରୁଷର ୪୯ତମ କମ୍ବାଇଣ୍ଡ ଆର୍ମସ ଆର୍ମି ପାଇଁ କାମ କରୁଥିଲେ। କିନ୍ତୁ ଏବେ ତାଙ୍କର ମୃତ୍ୟୁ ଘଟିଛି।

ଫେବୃଆରୀ ୨୪ରେ ରୁଷ ସେନା ୟୁକ୍ରେନରେ ହମଲା କରିଥିଲା। ଏହାର ୪ ଦିନ ପରେ ଜେନେରାଲ ରେଜାନଷ୍ଟେଭ ଆଉ କିଛି ଘଣ୍ଟା ପରେ ଯୁଦ୍ଧ ଶେଷ ହୋଇଯିବ ବୋଲି ସର୍ବସମ୍ମୁଖରେ ଘୋଷଣା କରିଥିଲେ। ହେଲେ ଯୁଦ୍ଧକୁ ଇତି ମଧ୍ୟରେ ୩୨ ଦିନ ବିତିଗଲାଣି। ରେଜାନଷ୍ଟେଭ ମଧ୍ୟ ଏବେ ପ୍ରାଣ ହରାଇଛନ୍ତି।

ରୁଷ ସେନା ଘନଘନ ହମଲା କରୁଥିଲେ ମଧ୍ୟ ୟୁକ୍ରେନ କଡ଼ା ଜବାବ ଦେଉଛି। ଏହି କାରଣରୁ ରୁଷ ଏଯାଏ ୟୁକ୍ରେନର କୌଣସି ବଡ଼ ସହରକୁ ନିଜ ଦଖଲକୁ ସଂପୂର୍ଣ୍ଣ ଭାବେ ନେଇ ପାରିନାହିଁ। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ମସ୍କୋ ଯୁଦ୍ଧରେ ଏଯାଏ ୧୩୫୧ ଜଣ ଯବାନଙ୍କୁ ହରାଇଛି। ସେହିପରି ୩୮୩୫ ଜଣ ଆହତ ହୋଇଛନ୍ତି। କିନ୍ତୁ ବେସରକାରୀ ଭାବେ ରୁଷ ୧୧ ହଜାରରୁ ଅଧିକ ଯବାନ ହରାଇ ସାରିଥିବା କୁହାଯାଉଛି।

ୱେଷ୍ଟର୍ଣ୍ଣ ଅଧିକାରୀମାନେ କହିଛନ୍ତି, ରୁଷ ଯବାନମାନେ ଯୁଦ୍ଧରେ ହତୋତ୍ସାହିତ ହୋଇ ନିଜର ଜଣେ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି। ରୁଷ ସୈନ୍ୟମାନେ କର୍ଣ୍ଣେଲ ୟୁରି ମେଡଭେଡେଭଙ୍କ ଉପରେ ଟ୍ୟାଙ୍କ ଚଢ଼ାଇ ତାଙ୍କୁ ମାରି ଦେଇଛନ୍ତି। ୟୁକ୍ରେନର ରାଜଧାନୀ କିଭ୍‌ର ପଶ୍ଚିମ ପ୍ରାନ୍ତରେ ଥିବା ମାକାରିଭରେ ଏପରି ଘଟଣା ଘଟିଛି।

ଏଠାରେ ୟୁକ୍ରେନ ସେନାର ପ୍ରଚଣ୍ଡ ଆକ୍ରମଣରେ ରୁଷ ବ୍ୟାପକ କ୍ଷୟକ୍ଷତି ସହିଥିଲା। ଏଥିରେ ଭାଙ୍ଗି ପଡ଼ି ରୁଷର ଯବାନମାନେ କର୍ଣ୍ଣେଲ ମେଡଭେଡେଙ୍କୁ ହତ୍ୟା କରିଛନ୍ତି। ତେବେ ରୁଷ ପକ୍ଷରୁ ଏହି ଦାବି ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନି।

Related story