ୱାଶିଂଟନ: ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି। ଖରାପ ପାଗ ଯୋଗୁଁ ଦୁର୍ଘଟଣା ଓ ଗଛ ପଡ଼ିବା ସହ ଅନ୍ୟ କାରଣରୁ ୩୧ ଜଣଙ୍କର ମୃତ୍ୟୁ ଘଟିଲାଣି। ଏବେ ବି ସେଠାରେ ଜାରି ରହିଛି ବରଫ ଝଡ଼।
ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଛି । ସ୍ଥିତି ଏପରି ହୋଇଛି ଯେ ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି। କବାଟ ଖୋଲିଲେ ସାମନାରେ ବରଫର ପାହାଡ଼ ଦେଖାଯାଉଛି ଘର ଓ ଝର୍କାକୁ ଗିଳି ପକାଇଛି ତୁଷାର ଗଦା।
ଚାରିଆଡେ କେବଳ ବରଫ ଆଉ ବରଫ। ବେଳେବେଳେ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହୁଛି ପବନ। ବରଫ ଝଡ଼ ଯୋଗୁଁ ଅଳ୍ପ କିଛି ଫୁଟ୍ ଦୂରକୁ ବି ଦେଖାଯାଉ ନାହିଁ । ବାହାରେ ଜିରୋ ଭିଜିବିଲିଟି ଓ ଖସଡ଼ା ସଡ଼କ ଯୋଗୁଁ ଦୁର୍ଘଟଣା ଘଟୁଛି।
ଏହି ଭୟଙ୍କର ଦୁର୍ବିପାକକୁ କୁହାଯାଉଛି ବମ୍ ସାଇକ୍ଲୋନ୍। ଏଥିଯୋଗୁଁ ଗମନାଗମନ, ବିମାନସେବା, ବିଦ୍ୟୁତ ସରବରାହ ସବୁକିଛି ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ାର କୋଟି କୋଟି ଲୋକ ଏହି ବମ୍ ସାଇକ୍ଲୋନ୍ରେ ପ୍ରଭାବିତ ହୋଇଛନ୍ତି।