ବେଙ୍ଗାଲୁରୁ: କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍ ୟେଦ୍ୟୁରପ୍ପା ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା ୟେଦ୍ୟୁରପ୍ପାଙ୍କୁ ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଚ୍ଡି କୁମାରସ୍ୱାମୀଙ୍କ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଆସ୍ଥା ଭୋଟ୍ରେ ବିଫଳ ହେବାର ୩ ଦିନ ପରେ ସେ ଶପଥ ନେଇଛନ୍ତି। ଆଜି ରାଜଭବନଠାରେ ସ୍ୱତନ୍ତ୍ର ୟେଦ୍ୟୁରପ୍ପାଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ୍ କରିଥିବାବେଳେ ରୋଶନ୍ ବେଗ୍ଙ୍କ ସମେତ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକ ଉପସ୍ଥିତ ରହିଥିଲେ।
ଏହାପୂର୍ବରୁ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ବୋଲି ଜଣାଇଥିଲେ। ରାଜ୍ୟପାଳ ସମ୍ମତି ପ୍ରକାଶ କରିବା ପରେ ୟେଦ୍ୟୁରପ୍ପା ଆଜି ସନ୍ଧ୍ୟା ୬ଟା ରୁ ୬.୧୫ ମିନିଟ ମଧ୍ୟରେ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ପରେ ଏହା ୬.୩୦କୁ ଘୁଞ୍ଚିଯାଇଥିଲା।
ବିଏସ୍ ୟେଦ୍ୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ବର୍ତ୍ତମାନ ବିଜେପିରେ ମାନସ ମନ୍ଥନ ଆରମ୍ଭ ହେବ। ମନ୍ତ୍ରିମଣ୍ଡଳରେ କିଏ ରହିବେ ଏବଂ କାହାକୁ କେଉଁ ଦାୟିତ୍ୱ ମିଳିବ ତାହା ସରକାରର ଆୟୁଷ ଓ ସ୍ଥିରତା ନିର୍ଦ୍ଧାରଣ କରିବ। ବହୁ ସଂଖ୍ୟକ ମନ୍ତ୍ରୀ ଆଶାୟୀ ଥିବାରୁ ଏହା ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ସପ୍ତାହକ ମଧ୍ୟରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ହେବ। ଏହାପରେ ଯାଇ ମନ୍ତ୍ରୀ ଚୟନ ଓ ସେମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଗତ ବର୍ଷ ମେ' ୧୮ ତାରିଖରେ ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପିର କର୍ଣ୍ଣାଟକା ମୁଖ୍ୟ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନ ମିଳିବାରୁ ମାତ୍ର ଅଢ଼େଇ ଦିନ ପରେ, ଆସ୍ଥା ଭୋଟ୍ ପୂର୍ବରୁ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ଏହା ପୂର୍ବରୁ ୨୦୦୭ ମସିହାରେ କୁମାରସ୍ୱାମୀଙ୍କ ଜେଡିଏସ୍ ସମର୍ଥନରେ ୟେଦ୍ୟୁରପ୍ପା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ତେବେ ମାତ୍ର ୭ ଦିନ ପରେ ମନ୍ତ୍ରୀମାନଙ୍କ ବିଭାଗ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ ତାଳ ମେଳ ନହେବାରୁ ଜେଡିଏସ୍ ମେଣ୍ଟରୁ ଓହରିଯାଇଥିଲା। ଏହାପରେ ୨୦୦୮ ମସିହାରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୧ ମସିହାରେ ଏକ ଦୁର୍ନୀତି ମାମଲାରେ ତାଙ୍କ ନାମ ଯୋଡ଼ିହେବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
କୁମାରସ୍ୱାମୀଙ୍କ ସରକାର ଭୁଶୁଡ଼ିବା ପରେ ବାଚସ୍ପତି କେଆର ରମେଶ କୁମାର କଂଗ୍ରେସର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅନ୍ୟ ୧୪ ଜଣଙ୍କ ଉପରେ ବର୍ତ୍ତମାନ ଯାଏ ନିଷ୍ପତ୍ତି ହୋଇନଥିବାରୁ ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ ଚୂଡ଼ାନ୍ତ ରାୟ ଉପରେ ସମସ୍ତଙ୍କ ନଜର ରହିଛି।
୨୨୪ ବିଧାୟକ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୧୦୫ ରହିଛି। ଦଳ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ପାଇବ। ତେବେ ୩ ଅଯୋଗ୍ୟ ଘୋଷିତ ସଦସ୍ୟଙ୍କୁ ବାଦ ଦେଲେ ଗୃହର ସଦସ୍ୟ ସଂଖ୍ୟା ୨୨୧ ହୋଇଯିବ ଏବଂ ମ୍ୟାଜିକ ନମ୍ବର ୧୧୧କୁ ଖସିଆସିବ।
ଯଦି ବିଦ୍ରୋହୀ ବିଧାୟକ ଭୋଟ୍ ନ ଦିଅନ୍ତି କର୍ଣ୍ଣାଟକା ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ୨୦୭କୁ ଖସିଆସିବ ଏବଂ ମ୍ୟାଜିକ୍ ନମ୍ବର ୧୦୪କୁ ଖସିଆସିବ। ଆଉ ଯଦି ବିଦ୍ରୋହୀ ବିଧାୟକମାନେ ଭୋଟ୍ ଦିଅନ୍ତି ବିଜେପିର ଭୋଟ୍ ସଂଖ୍ୟା ୧୨୦କୁ ବୃଦ୍ଧି ପାଇବ। ଅର୍ଥାତ ବିଜେପି ଆରାମରେ ଫ୍ଲୋର ଟେଷ୍ଟ ପାଶ୍ କରିଯିବ। କିନ୍ତୁ ବିଦ୍ରୋହୀ ବିଧାୟକଙ୍କ ‘ଘର୍ ୱାପ୍ସି’ ହେଲେ ବିଜେପି ସମର୍ଥନରେ ୧୦୬ ବିଧାୟକ ରହିବେ ଯେତେବେଳେ କି ଏହା ୧୧୨ଜଣ ବିଧାୟକଙ୍କ ସମର୍ଥନ ଦରକାର କରୁଥିବ। ତେବେ ରାଜ୍ୟପାଳ ବାଜୁଭାଇ ବାଲା ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ବିରୋଧୀ କଂଗ୍ରେସ ଜେଡିଏସ୍ ଏଯାଏ ଗ୍ରହଣ କରିପାରୁନାହାନ୍ତି। କଂଗ୍ରେସ କହିଛି, ଏହା ଅଗଣତାନ୍ତ୍ରିକ। କର୍ଣ୍ଣାଟକା ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ।