Advertisment

Naxal:୧୭୦ ନକ୍ସଲଙ୍କ ଆତ୍ମସମର୍ପଣ; ଅବୁଝମାଡ଼କୁ ନକ୍ସଲ-ମୁକ୍ତ ଘୋଷଣା କଲେ ଅମିତ ଶାହ

ଅମିତ ଶାହ ‘ଏକ୍ସ’ରେ ଲେଖିଛନ୍ତି, ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାଜ୍ୟରେ ୨୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେହିପରି ଗତକାଲି ମହାରାଷ୍ଟ୍ରରେ ୬୧ ଜଣ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଥିଲେ।

Amit Shah

ଅମିତ ଶାହ

Advertisment

ଛତିଶଗଡ଼ରେ ଗୁରୁବାର ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସାର ପଥର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସେମାନଙ୍କୁ ସ୍ୱାଗତ କରିବା ସହିତ ଛତିଶଗଡ଼ର ଉତ୍ତର ବସ୍ତରର ଅବୁଝମାଡ଼କୁ ନକ୍ସଲ-ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି।

Advertisment

ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲାରେ ୨୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଥିଲେ। ଏହି ୨୭ ଜଣଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ନକ୍ସଲ ମଧ୍ୟ ଥିଲେ।

ସେହିଭଳି ଗତକାଲି ମହାରାଷ୍ଟ୍ରର ଗଡଚିରୋଲିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ୬୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ନକ୍ସଲ ନେତା ତଥା ସିପିଆଇ (ମାଓବାଦୀ) ପଲିଟିବ୍ୟୁରୋ ସଦସ୍ୟ ଏମ୍. ଭେନୁଗୋପାଳ ରାଓ ଓରଫ ଭୂପତି ଓରଫ ସୋନୁ। 

Advertisment

ଅମିତ ଶାହ ‘ଏକ୍ସ’ରେ ଲେଖିଛନ୍ତି, ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାଜ୍ୟରେ ୨୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେହିପରି ଗତକାଲି ମହାରାଷ୍ଟ୍ରରେ ୬୧ ଜଣ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଥିଲେ। ଗତ ଦୁଇ ଦିନରେ ମୋଟ ୨୫୮ ଜଣ ନକ୍ସଲ ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଛନ୍ତି। ହିଂସାକୁ ପରିତ୍ୟାଗ କରିଥିବାରୁ ଓ ଭାରତ ସମ୍ବିଧାନ ଉପରେ ଭରସା କରିଥିବାରୁ ମୁଁ ସେମାନଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁ ନକ୍ସଲବାଦ ଏବେ ଶେଷ ନିଃଶ୍ୱାସ ନେଉଛନ୍ତି।

ବୁଧବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ନକ୍ସଲବାଦ ଦ୍ୱାରା ଅତି ମାତ୍ରାରେ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା ୬ରୁ ୩କୁ ଖସି ଯାଇଛି। ଏବେ କେବଳ ଛତିଶଗଡ଼ର ବିଜାପୁର, ସୁକମା ଓ ନାରାୟଣପୁର ଜିଲ୍ଲାରେ ନକ୍ସଲମାନଙ୍କ ପ୍ରଭାବ ସର୍ବାଧିକ ରହିଛି।

ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ନକ୍ସଲଙ୍କ ଦ୍ୱାରା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ଖସିଯାଇଛି। ଏହି ୧୧ ଜିଲ୍ଲା ମଧ୍ୟରେ ଅଛନ୍ତି ଛତିଶଗଡ଼ର ବିଜାପୁର, ଦାନ୍ତେୱାଡା, ଗରିୟାବନ୍ଦ, କାଙ୍କେର, ମୋହଲା-ମନପୁର-ଅମ୍ବାଗଡ଼ ଚୌକି, ନାରାୟଣପୁର ଓ ସୁକମା, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ, ମଧ୍ୟପ୍ରଦେଶର ବାଲଘାଟ, ମହାରାଷ୍ଟ୍ରର ଗଡ଼ଚିରୋଲି ଏବଂ ଓଡ଼ିଶାର କନ୍ଧମାଳ। 

ସରକାରୀ ତଥ୍ୟ ଅନୁଯାୟୀ, ଆଜି ପୂର୍ବରୁ ୮୩୬ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୧୬୩୯ ଜଣ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରତିଜ୍ଞା କରିଛନ୍ତି।            

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe