Advertisment

ଅଭିଯୁକ୍ତଙ୍କୁ ଜେଲରେ ରଖିବା ପାଇଁ ବାରମ୍ବାର ଚାର୍ଜଶିଟ ଦାଖଲ ବିରୋଧରେ ସୁପ୍ରିମକୋର୍ଟ

ଖଣ୍ଡପୀଠ ଏହା ଜାମିନ ଯୁକ୍ତ ମାମଲା ହୋଇଥିବା କହିଥିଲେ ହେଁ ରାଜୁ ଏହାକୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
SC

SC

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବାରମ୍ବାର ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଜେଲରେ ରଖାଯାଇ ପାରିବ ନାହିଁ।

Advertisment

କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଆଭିମୁଖ୍ୟ ସୁପ୍ରିମକୋର୍ଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଜଷ୍ଟିସ ସଞ୍ଜୀବନ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଖାନ୍ନା ଇଡି ପାଇଁ ଓକିଲାତି କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁଙ୍କୁ କହିଛନ୍ତି, “ଜାମିନ ପାଇବାର ପୂରା ପ୍ରସଙ୍ଗ ହେଲା ଆପଣ ତଦନ୍ତ ନ ସରିବା ଯାଏ ଜଣେ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ନାହିଁ।

ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆପଣ କହିପାରିବେ ନାହିଁ ଯେ ତଦନ୍ତ ଶେଷ ନ ହେବା ଯାଏ ଶୁଣାଣି ଆରମ୍ଭ ହେବନି। ଆପଣ ବାରମ୍ବାର ଏମିତି ଅତିରିକ୍ତ ଚାର୍ଜଶିଟ ଦାଖଲ କରିପାରିବେ ନାହିଁ। ଆପଣ ଚାର୍ଜଶିଟ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଜେଲରେ ରଖି ପାରିବେ ନାହିଁ।

Advertisment

ଏହି ମାମଲାରେ ଜଣେ ବ୍ୟକ୍ତି ୧୮ ମାସରୁ ଅଧିକ ସମୟ ହେଲା ଜେଲରେ ରହିଛନ୍ତି। ଏହା ଆମକୁ ଚିନ୍ତିତ କରୁଛି। କିଛି ମାମଲା ଆମ ପାଖକୁ ଆସୁଛି ଓ ଆମେ ମଧ୍ୟ ଆପଣଙ୍କୁ ନୋଟିସ ପଠାଉଛୁ। ଆପଣ ଗିରଫ କରିବା ମାତ୍ରେ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ।”

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଯଦି ତଦନ୍ତକାରୀ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ କରିବ ନାହିଁ କିମ୍ବା ଚୂଡ଼ାନ୍ତ ଚାର୍ଜଶିଟ ଦାଖଲ କରିପାରବ ନାହିଁ, ତା’ହେଲେ ଗିରଫ ବ୍ୟକ୍ତି ଜାମିନ ପାଇପାରିବେ। ତଦନ୍ତ ଶେଷ କରିବା ପାଇଁ ୬୦ରୁ ୯୦ ଦିନର ସମୟ ରହିଛି।

ଏପ୍ରିଲ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ କଥା କହିଥିଲେ। ଜଷ୍ଟି କୃଷ୍ଣ ମୁରଲୀ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଥିଲେ ଯେ ତଦନ୍ତ ଶେଷ ନ କରି କୌଣସି ତଦନ୍ତକାରୀ ସଂସ୍ଥା ଗୋଟିଏ ଚାର୍ଜଶିଟ ଦାଖଲ କରିପାରିବ ନାହିଁ। ଏପରି ଚାର୍ଜଶିଟ ଦାଖଲ କରି ଅଭିଯୁକ୍ତଙ୍କୁ ତାଙ୍କର ଜାମିନ ପାଇବା ଅଧିକାରରୁ ବଞ୍ଚିତ କରାଯାଇ ପାରିବନି।

ସୁପ୍ରିମକୋର୍ଟଙ୍କ ଏପରି କଥା ଦୀର୍ଘ ଦିନ ହେଲା ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରାଜନୀତିକ ଦଳର ନେତାମାନଙ୍କ ପାଇଁ ବହୁତ ବଡ଼ ଖବର।

ଝାରଖଣ୍ଡର ବେଆଇନ ଖଣି ଖନନ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଶାଣି ବେଳେ ସୁପ୍ରିମକୋର୍ଟ ଆଜି ଏପରି କହିଛନ୍ତି। ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତବର୍ଷ ଝାରଖଣ୍ଡ ହାଇକୋର୍ଟ ଗତବର୍ଷ ଜାନୁଆରୀରେ ତାଙ୍କୁ ଜାମିନ ଦେବାକୁ ମନା କରିଥିଲେ। ଏଥିପାଇଁ ସେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ଖଣ୍ଡପୀଠ ଏହା ଜାମିନ ଯୁକ୍ତ ମାମଲା ହୋଇଥିବା କହିଥିଲେ ହେଁ ରାଜୁ ଏହାକୁ ବିରୋଧ କରିଥିଲେ। ଜାମିନ ମିଳିଲେ ସାକ୍ଷୀମାନେ ପ୍ରଭାବିତ ହେବା ସହ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥିବା ସେ ଯୁକ୍ତି କରିଥିଲେ। କିନ୍ତୁ ଏହା ଖଣ୍ଡପୀଠଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ଜଷ୍ଟିସ ଖାନ୍ନା କହିଥିଲେ, “ଯଦି ସେ(ପ୍ରକାଶ) ସେମିତି କିଛି କରନ୍ତି, ତା’ହେଲେ ଆପଣ ଆମ ପାଖକୁ ଆସି ପାରିବେ। କିନ୍ତୁ ସେ ୧୮ ମାସ ହେଲା ଜେଲରେ ଅଛନ୍ତି ତ?”

ପ୍ରିଭେନସନ ମନିଲଣ୍ଡରିଂ ଆକ୍ଟର ସେକ୍ସନ ୪୫ରେ ଦୀର୍ଘ ଦିନ ହେଲା ଜେଲରେ ଥିବା ଅଭିଯୁକ୍ତ ଜାମିନ ପାଇବାକୁ ହକଦାର ବୋଲି ବ୍ୟବସ୍ଥା ରହିଛି। ଯଦି ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଜଣଙ୍କ ଅପରାଧ କରି ନାହାନ୍ତି ବୋଲି ହୃଦୟଙ୍ଗମ କରାଯାଏ, ତା’ହେଲେ ତାଙ୍କୁ ଜାମିନ ଦେବାକୁ କେହି ବି ମନା କରିପାରିବେ ନାହିଁ।

ସମ୍ବିଧାନର ଧାରା ୨୧ରେ ମଧ୍ୟ ବ୍ୟକ୍ତିଗତ ସ୍ୱତନ୍ତ୍ରା ଅଧିକାର କଥା ମଧ୍ୟ କହିଛି। ଯଦି ଶୁଣାଣିରେ ବିଳମ୍ବ ହେଉଛି, ତା’ହେଲେ ଏହା କୋର୍ଟଙ୍କୁ ଜାମିନ ପ୍ରଦାନ କରିବା ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ED Raid Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe